Odisha Link
Bridging the Missing Links in Odisha

ସଂସ୍କୃତରେ ଶପଥ ନେଲେ ସୁରିନାମ୍‌‌ର ନୂଆ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସନ୍ତୋଖୀ

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ସୁରିନାମ୍‌ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରିକାପ୍ରସାଦ ସନ୍ତୋଖୀ। ହିନ୍ଦୁ ରୀତିରେ ବେଦପାଠ ସହ ସଂସ୍କୃତ ଭାଷାରେ ପଦ ଓ ଗୋପନୀୟତାର ଶପଥ ନେବାରେ ସେ ହେଉଛନ୍ତି ପ୍ରଥମ ସୁରିନାମ୍‌ ରାଷ୍ଟ୍ରମୁଖ୍ୟ। ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାର ୩ ଦିନ ପରେଜୁଲାଇ ୧୯ ତାରିଖରେ ସେ ନିଜର ଦୀର୍ଘଦିନର ବାନ୍ଧବୀ ମେଲିଶା ସିନାଚେରୀଙ୍କୁ ବିବାହ କରିଛନ୍ତି। କମ ଲୋକଙ୍କ ଉପସ୍ଥିତିରେ ନିରାଡମ୍ବର ଭାବରେ ଏ ବିବାହ ଉତ୍ସବ ମଧ୍ୟ ହିନ୍ଦୁ ରୀତି ଅନୁସାରେ ହୋଇଥିଲା।

ଜୁଲାଇ ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବରେ ସଂସ୍କୃତ ପଣ୍ଡିତ ତଥା ପୂଜକଙ୍କ ଉପସ୍ଥିତିରେ ଚନ୍ଦ୍ରକାପ୍ରସାଦ ସନ୍ତୋଖୀ ଶପଥ ନେଇଥିଲେ। ପୂଜକଙ୍କ ସଂସ୍କୃତ ଉଚ୍ଚାରଣକୁ ଅନୁକରଣ କରି ନିଜର ଶପଥପତ୍ର ପାଠ କରିଥିଲେ ସୁରିନାମ୍‌ ରାଷ୍ଟ୍ରପତି। ସେନା ଅଧିକାରୀରୁ ରାଷ୍ଟ୍ରପତି ପାଲଟିଥିବା ଦେସି ବୋଟର୍ସଙ୍କୁ ହଟାଇ ତାଙ୍କ ସ୍ଥାନରେ ସନ୍ତୋଖୀଙ୍କୁ ନିର୍ବାଚିତ କରିଛନ୍ତି ସୁରିନାମ୍‌ ଜନତା। ସୁନ୍ତୋଖୀ ଜଣେ ପୂର୍ବତନ ପୁଲିସ ମୁଖ୍ୟ।

ଚାନ୍‌ ସନ୍ତୋଖୀ ଭାବେ ପ୍ରସିଦ୍ଧ ଚନ୍ଦ୍ରିକାପ୍ରସାଦ ୧୯୫୯ରେ ଜନ୍ମିତ। ୨୩ ବର୍ଷ ବୟସରେ ଜଣେ ପୁଲିସ ଇନସପେକ୍ଟର ଭାବେ ବୃତ୍ତି ଆରମ୍ଭ କରିଥିଲେ। ନେଦରଲାଣ୍ଡ ପୁଲିସ ଏକାଡେମୀରେ ସେ ୪ ବର୍ଷ (୧୯୭୮-୧୯୮୨) ଅଧ୍ୟୟନ କରି ଦେଶକୁ ଫେରିଥିଲେ। ୧୯୮୯ରେ ସେ ଜାତୀୟ ଅପରାଧ ତଦନ୍ତ ବିଭାଗର ମୁଖ୍ୟ ହୋଇଥିଲେ। ପରେ ୧୯୯୧ରେ ସେ ପୁଲିସ କମିଶନର୍‌ ପଦକୁ ଉନ୍ନୀତ ହୋଇଥିଲେ। ପରେ ଚାକିରି ଛାଡ଼ି ସେ ରାଜନୀତିରେ ଯୋଗ ଦେଇଥିଲେ। ୨୦୦୫ ମସିହାରେ ପ୍ରୋଗ୍ରେସିଭ୍‌ ରିଫର୍ମ ପାର୍ଟି ଟିକେଟ୍‌ରେ ବିଜୟୀ ହୋଇ ସେ ସୁରିନାମ୍‌ର ନ୍ୟାୟ ଓ ଗୃହ ବିଭାଗ ମନ୍ତ୍ରୀ ହୋଇଥିଲେ। ତାଙ୍କ ମନ୍ତ୍ରୀତ୍ବ ବେଳେ ଦେଶରୁ ଅପରାଧ କମାଇ ସେ ବେଶ୍‌ ପ୍ରସିଦ୍ଧ ହୋଇଥିଲେ। ୨୦୧୦ରେ ସେ ରାଷ୍ଟ୍ରପତି ପଦ ପାଇଁ ଲଢ଼ିଥିଲେ ବି ଦେସି ବୋଟର୍ସଙ୍କ ଠାରୁ ପରାଜିତ ହୋଇଥିଲେ। ୨୦୧୧ରେ ସନ୍ତୋଖୀ ପ୍ରୋଗ୍ରେସିଭ୍‌ ରିଫର୍ମ ପାର୍ଟିର ଅଧ୍ୟକ୍ଷ ହୋଇଥିଲେ।

ସନ୍ତୋଖୀଙ୍କ ମନ୍ତ୍ରିମଣ୍ଡଳରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା କ୍ରୀଷ୍ଣା ମାଥୋରା ସାମିଲ ହୋଇଛନ୍ତି। କ୍ରୀଷ୍ଣା ସୁରିନାମର ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ସେ ମଧ୍ୟ ପୁଲିସ ଅଧିକାରୀରୁ ରାଜନେତା ହୋଇଛନ୍ତି।

Comments are closed.