Odisha Link
Bridging the Missing Links in Odisha

ଗାନ୍ଧୀ ପରିବାରର ପିଲା ହିଁ କଂଗ୍ରେସର ସ୍କୁଲରେ ଟପ୍‌ କରନ୍ତି

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗୁଆଳ କିଏ ହେବ ସେ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ବର୍ତ୍ତମାନର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଦରୁ ହଟିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ସୋନିଆଙ୍କ ପରେ କାହାର ନେତୃତ୍ୱରେ ପୁଣି ଠିଆ ହେବ କଂଗ୍ରେସ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ।

କଂଗ୍ରେସରେ ନେତୃତ୍ୱକୁ ନେଇ ଦଳ ମଧ୍ୟରେ ବିତର୍କ ଚାଲିଛି। ଏହି ସମୟରେ ଦଳର ସଭାପତି ଚୟନ ପାଇଁ ସୋମବାର କଂଗ୍ରେସ କାର୍ଯ୍ୟ କମିଟି ବୈଠକ କରୁଛି। ଏଥି ସହିତ କଂଗ୍ରେସ ସଭାପତି ପଦବୀକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ତଥା ବିଜେପି ନେତା ନରୋତ୍ତମ ମିଶ୍ର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ଏପରି ଏକ ବିଦ୍ୟାଳୟ ଯେଉଁଠାରେ କେବଳ ଗାନ୍ଧୀ ପରିବାରର ପିଲା ଶୀର୍ଷରେ ରୁହନ୍ତି।

କଂଗ୍ରେସକୁ ଟାର୍ଗେଟ କରି ନରୋତ୍ତମ ମିଶ୍ର କହିଛନ୍ତି, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ରର୍ବଟ ଭଦ୍ରାଙ୍କ ପରି କଂଗ୍ରେସରେ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି (ଦଳର ମୁଖ୍ୟ ପଦ ପାଇଁ)। କଂଗ୍ରେସର ସଦସ୍ୟମାନେ ବୁଝିବା ଉଚିତ୍ ଯେ କଂଗ୍ରେସ ଏକ ବିଦ୍ୟାଳୟ ଯେଉଁଠାରେ କେବଳ ପ୍ରଧାନ ଶିକ୍ଷକଙ୍କ ପିଲା ଶ୍ରେଣୀରେ ଟପ୍ କରିଥାନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତୃତ୍ବକୁ ନେଇ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ଜାରି ରହିଛି। ଏହି ବୈଠକରେ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପଦ ଛାଡିବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଦଳର ଅଧ୍ୟକ୍ଷା ପଦବୀ ଛାଡ଼ିବାକୁ ଚାହୁଁଛି। ଦଳ ଜଣେ ନୂଆ ଅଧ୍ୟକ୍ଷ ଚୟନ କରୁ। ଅପରପକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ବରିଷ୍ଠ ନେତା ଏ.କେ ଆଣ୍ଟୋନି ତାଙ୍କୁ ଏହି ପଦରେ ରହିବାକୁ କହିଛନ୍ତି।

Comments are closed.