Odisha Link
Bridging the Missing Links in Odisha

ଗଣମାଧ୍ୟମକୁ ଅନୁଭବଙ୍କ ନିବେଦନ: ଗୁଜବ ପ୍ରଚାର କରନ୍ତୁନାହିଁ

ଭୁବନେଶ୍ବର: ବିଗତ ଦୁଇଦିନ ହେଲା ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ପାରିବାରିକ ହିଂସା ନିରୋଧ ଆଇନ ଆଧାରରେ କଟକ ଏସ୍‌ଡିଜେଏମ୍‌ କୋର୍ଟରେ ବର୍ଷା ଅନୁଭବଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ପାଲଟା ପିଟିସନ୍‌ ଦାଖଲ କରିଛନ୍ତି ଅନୁଭବ। ନିଜ ନିଜ ନିଜ ପିଟିସନ୍‌ରେ ଉଭୟେ ଉଭୟଙ୍କ ଠାରୁ ଛାଡ଼ପତ୍ର ଦାବି କରିଛନ୍ତି।

ଏ ଘଟଣା ଦୁଇଦିନ ଧରି ଗଣମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ ପାଲଟିଥିବା ବେଳେ ଆଜି ଏକ ପ୍ରେସ୍‌ ବାର୍ତ୍ତାରେ ନିଜର ମନକଥା ବଖାଣିଛନ୍ତି ଅନୁଭବ। ବର୍ଷା, ବର୍ଷାଙ୍କ ପରିବାର, ଅନୁଭବ ଓ ଅନୁଭବଙ୍କ ପରିବାରର ଗୋପନୀୟତା, ବ୍ୟକ୍ତିଗତତା, ସମ୍ମାନବୋଧ ପ୍ରତି ସମ୍ମାନ ଜଣାଇବାକୁ ଅନୁଭବ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ଏହା ତାଙ୍କ ଜୀନବର ସବୁଠୁ ଦୁଃଖଦ ଓ ପୀଡ଼ାଦାୟକ ସମୟ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହା ତାଙ୍କ ବ୍ୟକ୍ତିଗତ ଜୀବନର କଥା ହୋଇଥିବାରୁ ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଗୁଜବରେ ଭରସା ନ କରିବା ଲାଗି ଅନୁଭବ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।

ସେ ଲେଖିଛନ୍ତି ଯେ କିଛି ମାସ ଧରି ସେ ଏ ବାବଦରେ ନିରବ ଥିଲେ। ତେବେ ଗଣମାଧ୍ୟମରେ ନିର୍ଦ୍ଦିଷ୍ଟ କିଛି କାରଣ ରଖି ତାଙ୍କ ବିରୋଧରେ ଖବର ପ୍ରସାରଣ କରାଯାଉଥିବାରୁ ସେ ମୁହଁ ଖୋଲିବାକୁ ବାଧ୍ୟହେଲେ।

ଅନୁଭବ ଲେଖିଛନ୍ତି-

ସମ୍ମାନ ସବୁ ବ୍ୟକ୍ତିଙ୍କର ଅଧିକାର ଓ ପ୍ରତି କାହାଣୀର ଦୁଇଟି ଦିଗ ରହିଛି। ବିବାହ ସ୍ବର୍ଗରେ ତିଆରି ହୁଏ ବୋଲି କଥା ଅଛି, ତେବେ ଅନେକ ଥର ଏହା ଭାଙ୍ଗିଥାଏ। ମୋର ବିବାହ ଅସଫଳ ହେବା ପ୍ରଥମ ଘଟଣା ନୁହେଁ। ମୁଁ ବର୍ଷାଙ୍କୁ ପ୍ରଚୁର ଭଲପାଉଥିଲି, ତେଣୁ ବିବାହ କଲି। ବର୍ଷାଙ୍କ ସଫଳତା ପାଇଁ ମୁଁ ତାଙ୍କୁ ସମ୍ମାନ କରେ। ତେବେ ଅନେକ ଦିନ ଧରି ଆମର ସମ୍ପର୍କ ଖରାପ ହୋଇଛି। ଏହାର କାରଣ ଜାଣିବା ପାଇଁ, ବୁଝେଇବା ପାଇଁ, ବୁଝିବା ପାଇଁ ଓ ସୁଧାରିବା ପାଇଁ ମୁଁ ଅନେକ ଚେଷ୍ଟା କରିଛି। ଦୁର୍ଭାଗ୍ୟଜନକ, ମୁଁ ସଜାଡ଼ିବାରେ ବିଫଳ ହୋଇଛି। ଏଣୁ ସୁରୁଖୁରୁରେ ଆମେ ଅଲଗା ହେବାକୁ ଉଚିତ ମଣିଲି। ପରସ୍ପରର ସାମାଜିକ ପ୍ରତିଷ୍ଠାକୁ ସମ୍ମାନ ଜଣାଇ ମୁଁ ଓ ମୋର ପରିବାର ଆମ ସ୍ବାମୀ-ସ୍ତ୍ରୀଙ୍କ ଛାଡ଼ପତ୍ର ପାରସ୍ପରିକ ବୁଝାମଣା ମାଧ୍ୟମରେ କରିବାକୁ ଚେଷ୍ଟା କଲୁ। ଏଥିରେ ଅସଫଳ ହେବାରୁ ମୁଁ ବାଧ୍ୟ୍ୟହୋଇ ଛାଡ଼ପତ୍ର ପିଟିସନ୍‌ ଫାଇଲ କରିବାକୁ ନିଷ୍ପତ୍ତି ନେଲି। ମୁଁ ଜୁଲାଇ ୨୦୨୦ରେ ଅଦାଲତରେ ଛାଡ଼ପତ୍ର ପାଇଁ ଆବେଦନ କରିଛି। ବର୍ଷାଙ୍କୁ ଜଣେ ବ୍ୟକ୍ତି ଭାବରେ, ଜଣେ ମହିଳା ଭାବରେ ଓ ଜଣେ କଠିନ ପରିଶ୍ରମୀ ବ୍ୟକ୍ତିତ୍ବ ଭାବରେ ମୁଁ ସମ୍ମାନ କରେ। ମୋ ପିଟିସନ୍‌ ପଦାରେ ନପଡ଼ୁ ବୋଲି ମୁଁ ଓ ମୋର ଓକିଲ ଚାହିଁଥିଲୁ। ବିଗତ କିଛିଦିନ ହେଲା ମୋ ବାପାଙ୍କ ସ୍ବାସ୍ଥ୍ୟ ଭଲ ନାହିଁ ଓ ବର୍ଷା-ମୋ ଭିତରେ ଦୁର୍ଭାଗପୂର୍ଣ୍ଣ ବିବାଦ ମୋତେ ଓ ମୋ ପରିବାର ପାଇଁ ପୀଡ଼ାଦାୟକ। ଏଭଳି ସମୟରେ ମୋ ବିରୋଧରେ ଦୁର୍ଭାବନାପୂର୍ଣ୍ଣ, ମନଗଢ଼ା, ଚୁଚ୍ଛ ଓ ଭିତ୍ତିହୀନ ଅଭିଯୋଗ ଗଣମାଧ୍ୟମରେ ପ୍ରସାରିତ ହେବା ମୋତେ କଷ୍ଟ ଦେଉଛି। ଘଟଣା ଏବେ ବିଚାରାଧୀନ ରହିଛି। ଏ ବାବଦରେ ମୁଁ ଅଧିକ ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ତେବେ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ବର୍ଷା, ବର୍ଷାଙ୍କ ପରିବାର, ମୁଁ ଓ ମୋର ପରିବାରର ଗୋପନୀୟତା, ବ୍ୟକ୍ତିଗତତା, ସମ୍ମାନବୋଧ ପ୍ରତି ସମ୍ମାନ ଜଣାନ୍ତୁ। ଏହା ମୋ ଜୀନବର ସବୁଠୁ ଦୁଃଖଦ ଓ ପୀଡ଼ାଦାୟକ ସମୟ। ଏହା ମୋ ବ୍ୟକ୍ତିଗତ ଜୀବନର କଥା ହୋଇଥିବାରୁ ଏଥି ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଗୁଜବରେ ଭରସା ନ କରିବାକୁ ମୁଁ ଅନୁରୋଧ କରୁଛି।

Comments are closed.