Odisha Link
Bridging the Missing Links in Odisha

ସରକାର ନିରବ, ଗଣମାଧ୍ୟମ ଗୁରୁତ୍ବ ଦେଲାନି, କଂଗ୍ରେସ୍‌ ବି ଭୁଲିଗଲା

ଦୁଇ ବର୍ଷ ତଳେ ଆମେ ଦେଶବ୍ୟାପୀ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ବର୍ଷକୁ ଧୁମଧାମରେ ପାଳନ କରିଥିଲେ। ଅଥଚ ସେହି ମହାତ୍ମା ଗାନ୍ଧିଙ୍କ ଦ୍ବାରା ଆହୁତ ‘ଅସହଯୋଗ ଆନ୍ଦୋଳନ’ର ୧୦୦ ବର୍ଷ ପୂର୍ତ୍ତିକୁ ଆମ ସରକାର ଆଉ ଗଣମାଧ୍ୟମ ଭୁଲିଗଲେ ଅଥବା ଅଣଦେଖା କରିଦେଲେ। ସବୁଠୁ ବଡ଼ ପରିତାପର ବିଷୟ କଂଗ୍ରେସ ଦଳ, ଯିଏ ନିଜକୁ ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟ ଭାରତୀୟ ଜାତୀୟ କଂଗ୍ରେସ୍‌ ବୋଲି ଦାବି କରେ, ସେ ବି ନିଜ ଦଳ ଦ୍ବାରା ଆହୁତ ବ୍ରିଟିଶ୍‌ ଶାସନ ବିରୋଧରେ ପ୍ରଥମ ଦେଶବ୍ୟାପୀ ଆନ୍ଦୋଳନର ବର୍ଷପୂରାଣିକୁ ପୂରାପୂରି ଭୁଲିଗଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ‘ଆତ୍ମନିର୍ଭର ଭାରତ’ର ଆହ୍ବାନ ଦେଉଛନ୍ତି ଠିକ ଶହେ ବର୍ଷ ତଳେ ଅସହଯୋଗ ଆନ୍ଦୋଳନରେ ଏହାକୁ ଏକ ବଡ଼ ଅସ୍ତ୍ର ଭାବରେ ବିବେଚନା କରି ସମାନ ଆହ୍ବାନ ଦେଇଥିଲେ ମହାତ୍ମା ଗାନ୍ଧି।

ଦୁଃଖର କଥା, ସେପ୍ଟେମ୍ବର ୫ ତାରିଖରେ ସରକାରୀ, ବିରୋଧୀ, ରାଜନେତା, ଗାନ୍ଧିବାଦୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ କେହି ଟୁଇଟ୍‌ ଟିଏ ମଧ୍ୟ କଲେନାହିଁ।

ଯେଉଁଠି ସରକାର ନିଜର ସଫଳତା ବଖାଣିବାରେ ସିଦ୍ଧହସ୍ତ, ବିରୋଧୀ ସରକାରଙ୍କ ଛିଦ୍ର ଖୋଜି ନିଜର ସମ୍ଭାବ୍ୟ ପାରିବା ପଣିଆ ଦେଖାଇବାରେ ବ୍ୟସ୍ତ ଏବଂ ଯେଉଁଠି ଗଣମାଧ୍ୟମ ଏ ଦୁଇ ଗୋଷ୍ଠୀଙ୍କ ଚରଣ ଚାଟିବାରେ ଚବିଶ ଘଣ୍ଟା ଜାଗ୍ରତ ସେଠାରେ ୧୦୦ ବର୍ଷ ତଳର ଅସହଯୋଗ ଆନ୍ଦୋଳନର ଆଉ ବା ମୂଲ୍ୟ କ’ଣ?

୧୯୨୦ ମସିହା ସେପ୍ଟେମ୍ବର ୫ ତାରିଖରେ ଗାନ୍ଧିଜୀଙ୍କ ଆହ୍ବାନରେ ଓ କଂଗ୍ରେସ ନେତୃତ୍ବରେ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ଅସହଯୋଗ ଆନ୍ଦୋଳନ। ୧୮୫୭ର ସିପାହୀ ବିଦ୍ରୋହ ପରେ କମ୍ପାନୀ ହାତରୁ ଶାସନ କ୍ଷମତା ରାଣୀ (ବ୍ରିଟିଶ୍‌ ସରକାର)ଙ୍କ ହାତକୁ ଯିବା ପରେ ସମ୍ଭବତଃ ସେହି ବ୍ରିଟିଶ୍‌ ବିରୋଧରେ ଦେଶରେ ପ୍ରଥମ ବୃହତ୍ତ ଆନ୍ଦୋଳନ ଥିଲା ଏହି ଅସହଯୋଗ ଆନ୍ଦୋଳନ। ଏହା ପୂର୍ବରୁ ବିଭିନ୍ନ ସ୍ବାଧୀନତା ସଂଗ୍ରାମୀଙ୍କ ଦ୍ବାରା ଆଞ୍ଚଳିକ ଆନ୍ଦୋଳନମାନ ମୁଣ୍ଡ ଟେକିଥିଲେ ବି ଅସହଯୋଗ ଆନ୍ଦୋଳନର ଡାକରା ଦିଲ୍ଲୀରୁ ପଲ୍ଲୀ ଯାଏଁ ସାରା ଭାରତକୁ ବ୍ରିଟିଶ୍‌ ବିରୋଧରେ ଏକ କରିଥିଲା।

୧୯୧୯ ଏପ୍ରିଲ ୧୩ରେ ତୀବ୍ର ହିଂସାତ୍ମକ ଜାଲିଆନାବାଗ୍‌ ଗଣସଂହାର ଓ ସେହିବର୍ଷ ମାର୍ଚ୍ଚ ୨୧ ତାରିଖରେ ଭାରତୀୟ-ବିରୋଧୀ ରାଓଲତ୍‌ ଆଇନରେ ମର୍ମାହତ ଗାନ୍ଧିଜୀ ପୂର୍ଣ୍ଣ ସ୍ବରାଜ ଓ ଦେଶକୁ ସ୍ବାଧୀନ କରିବା ଲକ୍ଷ୍ୟରେ ‘ଅସହଯୋଗ ଆନ୍ଦୋଳନ’ର ଡାକରା ଦେଇଥିଲେ। ବ୍ରିଟିଶ୍‌ ସରକାରଙ୍କ ପାଇଁ କାମ ନ କରିବା, ବ୍ରିଟିଶ୍‌ ଶିକ୍ଷାନୁଷ୍ଠାନରେ ପାଠ ନ ପଢ଼ିବା ଓ ବ୍ରିଟିଶ୍‌ ଶିଳ୍ପ ସଂସ୍ଥାରେ କାମ ନ କରିବାକୁ ଆହ୍ବାନ ଦେଇଥିଲେ ଗାନ୍ଧିଜୀ। ବ୍ରିଟିଶ୍‌ ସାମଗ୍ରୀ ଉପରେ ନିର୍ଭର ନ କରି ଆତ୍ମନିର୍ଭର ହେବା ଓ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବା ଲାଗି ଦେଶବାସୀଙ୍କ ଅନୁରୋଧ କରିଥିଲେ ମହାତ୍ମା। ଏହାର ପ୍ରଭାବରେ ଦେଶବ୍ୟାପୀ ଖଦୀ ବୁଣିବା ଓ ୟୁରୋପୀୟ ବସ୍ତ୍ର ପୋଡ଼ିବା / ବ୍ୟବହାର ନ କରିବା ତଥା ସ୍ବଦେଶୀ ସାମଗ୍ରୀ କିଣିବା ନେଇ ଏକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା।

ଏ ଆନ୍ଦୋଳନକୁ କେବଳ ଏକ ବ୍ରିଟିଶ୍‌ ବିରୋଧୀ ସ୍ବାଧୀନତା ଆନ୍ଦୋଳନ କହିଲେ ଭୁଲ ହେବ। ବରଂ ଏହା ଥିଲା ଦେଶବାସୀଙ୍କୁ ଆତ୍ମନିର୍ଭର କରିବାର ଆହ୍ବାନ ଓ ସ୍ବଦେଶୀ ଜାଗରଣର ପହିଲି ଜାତୀୟ ପ୍ରୟାସ। ଏତଦ୍‌ଭିନ୍ନ ଅସହଯୋଗ ଆନ୍ଦୋଳନକୁ ଛୁଆଁଅଛୁଆଁ ଭେଦଭାବ ବିରୋଧରେ ମଧ୍ୟ ଏକ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ ମହାତ୍ମା ଗାନ୍ଧି।

ଓଡ଼ିଶାରେ ଗୋପବନ୍ଧୁ ଦାସ ଏହି ଆନ୍ଦୋଳନର ଜଣେ ସମର୍ଥ ସଇସ ସାଜିବା ସହ ରାଜ୍ୟରେ ଆତ୍ମନିର୍ଭର ଓ ସ୍ବଦେଶୀ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୪ ସେପ୍ଟେମ୍ବର ୧୯୨୦ରେ ତତ୍‌କାଳୀନ କାଲକାଟା ଠାରେ ଲାଲା ଲଜପତ ରାୟଙ୍କ ଅଧ୍ୟକ୍ଷତାରେ ଜାତୀୟ କଂଗ୍ରେସର ସ୍ବତନ୍ତ୍ର ଅଧିବେଶନ ବସିଥିଲା। ଏଥିରେ ଗୋପବନ୍ଧୁ ଦାସ ଓ ଅନ୍ୟ କଂଗ୍ରେସ ନେତାମାନେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିଲେ। ଏହି ଅଧିବେଶନରେ ହିଁ ଅସହଯୋଗ ଆନ୍ଦୋଳନ ପାଇଁ ସଂକଳ୍ପ ନିଆଯାଇଥିଲା ଏବଂ ପରଦିନ ଠାରୁ ଏହା ଆରମ୍ଭ କରାଯାଇଥିଲା। ୧୯୨୧ ଜାନୁଆରୀ ସୁଦ୍ଧା ସାରା ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ପ୍ରଭାବ ବିସ୍ତାର କରି ଯାଇଥିଲା। ଗୋପବନ୍ଧୁ ଓ ମଧୁସୂଦନଙ୍କ ମଧ୍ୟରେ ମତପାର୍ଥକ୍ୟ ଥିଲେ ବି ଉଭୟେ ନିଜ ନିଜ କ୍ଷେତ୍ରରେ ଏ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ସ୍ବଦେଶୀ ଦ୍ରବ୍ୟ ପ୍ରସ୍ତୁତି ଓ ବିକ୍ରୟକୁ ତ୍ବରାନ୍ବିତ କରିଥିଲେ ତତ୍‌କାଳୀନ ଓଡ଼ିଆ ଶିଳ୍ପୋଦ୍ୟୋଗୀ ମଧୁସୂଦନ ଦାସ। ଗୋପବନ୍ଧୁ ଦାସ ରାଜ୍ୟ ସାରା ବୁଲି ମହାତ୍ମା ଗାନ୍ଧିଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ। ଏଇ ସମୟରେ ସରକାରୀ ସ୍କୁଲରେ ପଢ଼ୁଥିବା ଶହ ଶହ ଓଡ଼ିଆ ଛାତ୍ର ଶିକ୍ଷା ଛାଡ଼ି ଆନ୍ଦୋଳନରେ ଝାସ ଦେଇଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ବରାଜ ଆଶ୍ରମ ମାନ ସ୍ଥାପିତ ହେବା ସହ ଚରଖାରେ ସୂତା ବୁଣିବା ଓ ଖଦୀ ଲୁଗା ପ୍ରସ୍ତୁତିକୁ ଗୁରୁତ୍ବ ଦିଆଯାଇଥିଲା।

ଗୋପବନ୍ଧୁଙ୍କ ଅନୁରୋଧରେ ମାର୍ଚ୍ଚ ୧୯୨୧ରେ ମହାତ୍ମା ଗାନ୍ଧି ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ଏଠାରେ ଅସହଯୋଗ ଆନ୍ଦୋଳନ ପ୍ରତି ଜନତାଙ୍କ ସମର୍ଥନରେ ଅଭିଭୂତ ହୋଇଥିଲେ। ମାର୍ଚ୍ଚ ୨୩ରେ ସେ ଟ୍ରେନ୍‌ ଯୋଗେ କଟକରେ ପହଞ୍ଚିଥିଲେ ଓ ମାର୍ଚ୍ଚ ୨୪ ତାରିଖରେ କାଠଯୋଡ଼ି ନଦୀ ବାଲିରେ ବିଶାଳ ଓଡ଼ିଆ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ମାର୍ଚ୍ଚ ୨୫ରେ ଭଦ୍ରକର ବର୍ତ୍ତମାନର ଗାନ୍ଧି ପଡ଼ିଆ ଠାରେ, ମାର୍ଚ୍ଚ ୨୭ରେ ପୁରୀ ଓ ମାର୍ଚ୍ଚ ୨୯ରେ ବର୍ତ୍ତମାନର ବ୍ରହ୍ମପୁର ଷ୍ଟାଡିୟମ ଠାରେ ଗାନ୍ଧିଜୀ ସ୍ଥାନୀୟ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏ ସବୁ ସଭାରେ ଗୋପବନ୍ଧୁ ତାଙ୍କ ସହ ଥିଲେ। ଗାନ୍ଧିଜୀଙ୍କ ଗସ୍ତ ଓଡ଼ିଶାର ଆନ୍ଦୋଳନକାରୀ ନେତା ଓ ସାଧାରଣ ଜନତାଙ୍କୁ ଅଧିକ ଉତ୍ସାହିତ କରିଥିଲା।

ଓଡ଼ିଶାରୁ ବିଧାନ ପରିଷଦକୁ ନିର୍ବାଚନ ପ୍ରକ୍ରିୟାକୁ ସେ ବର୍ଷ ସମ୍ପୂର୍ଣ୍ଣ ବର୍ଜନ କରାଯାଇଥିଲା। ଅନ୍ୟ ସ୍ଥାନ ଭଳି ଓଡ଼ିଶାରେ ବି ବ୍ରିଟିଶ୍‌ ସରକାର ଅସହଯୋଗ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଗିରଫ୍‌ ପ୍ରକ୍ରିୟା ଆରମ୍ଭ କରିଥିଲେ। ଓଡ଼ିଶାରୁ ପ୍ରଥମ ରାଜନୈତିକ ବନ୍ଦୀ ହୋଇଥିଲେ ରାଜକିଶୋର ବୋଷ। ପରେ ଗୋପବନ୍ଧୁ ଦାସ, ଯଦୁମଣି ମଙ୍ଗରାଜ, ହରେକୃଷ୍ଣ ମହତାବ ଓ ଆଉ ୨୪ ଜଣ ସଂଗ୍ରାମୀଙ୍କୁ ବ୍ରିଟିଶ୍‌ ଫଉଜ ଗିରଫ କରିଥିଲା।

୪ ଫେବ୍ରୁଆରୀ ୧୯୨୨ରେ ଉତ୍ତରପ୍ରଦେଶର ଚୌରାଚୌରୀ ଠାରେ କିଛି ଆନ୍ଦୋଳନକାରୀ ହିଂସା ଆଚରଣ କରିବା ସହ ବ୍ରିଟିଶ୍‌ ଥାନାରେ ନିଆଁ ଲଗାଇ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ସମ୍ପୂର୍ଣ୍ଣ ଅହିଂସ ଆଚରଣ ପାଇଁ ଆହ୍ବାନ ଦେଇଥିବା ଗାନ୍ଧିଜୀ ଏ ଘଟଣାରେ ମର୍ମାହତ ହୋଇ ଅସହଯୋଗ ଆନ୍ଦୋଳନ ବନ୍ଦ ପାଇଁ ନିଷ୍ପତ୍ତି ନେଲେ। ତଥାପି ମଧ୍ୟ ଆନ୍ଦୋଳନ ସମ୍ପୂର୍ଣ୍ଣ ଲିଭି ନ ଥିଲା। ପରେ ପରେ ୧୦ ମାର୍ଚ୍ଚ ୧୯୨୨ରେ ମହାତ୍ମା ଗାନ୍ଧି ଗିରଫ ହେଲା। ସେହି ମାସ ୧୮ ତାରିଖରେ ତାଙ୍କର ବିଚାର ହୋଇ ‘ଅସହଯୋଗ ଆନ୍ଦୋଳନ’ ପାଇଁ ତାଙ୍କୁ ୬ ମାସ କାରାବାସ ଦଣ୍ଡାଦେଶ ହେଲା। ପୂର୍ବରୁ ଗିରଫ ହୋଇଥିବା ମୋତିଲାଲ ନେହେରୁ ସେତେବେଳକୁ ଜେଲରୁ ମୁକୁଳି ଆସିଥିଲେ। ଗାନ୍ଧିଜୀଙ୍କ ନିଷ୍ପତ୍ତିକୁ ବିରୋଧ କରି ମୋତିଲାଲ ନେହରୁ ଓ ଚିତ୍ତରଂଜନ ଦାଶ କଂଗ୍ରେସ ଠାରୁ ଅଲଗା ହୋଇ ସ୍ବରାଜ ପାର୍ଟି ଗଢ଼ିଲେ ଓ ଅସହଯୋଗ ଆନ୍ଦୋଳନକୁ ଚାଲୁ ରଖିବାକୁ ଚେଷ୍ଟା କଲେ। ତେବେ ଗାନ୍ଧିଜୀଙ୍କ ସମେତ ଦେଶବ୍ୟାପୀ ଶହ ଶହ ସଂଖ୍ୟାରେ ନେତା କାରାବରଣ କରିବାରୁ ଆନ୍ଦୋଳନ ଧିମେଇ ଆସିଲା। ପ୍ରାୟ ଦୁଇ ବର୍ଷର ଅସହଯୋଗ ଆନ୍ଦୋଳନ ୧୯୨୨ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ଏହା ପରେ ଗୋପବନ୍ଧୁ ଦାସ ଓ ଅନ୍ୟ ଗିରଫ ଓଡ଼ିଆ ନେତାମାନେ ଜେଲରୁ ମୁକୁଳିଥିଲେ।

ଅସହଯୋଗ ଆନ୍ଦୋଳନ ବ୍ରିଟିଶ୍‌ ସରକାରଙ୍କୁ ଭାରତୀୟଙ୍କ ଏକତା ଓ ବ୍ରିଟିଶ୍-ବିରୋଧୀ ମନୋଭାବର ସ୍ପଷ୍ଟ ଚିତ୍ର ଦେଇଥିଲା। ଏଇ ଆନ୍ଦୋଳନ ପରେ ଆଇନଅମାନ୍ୟ (୧୯୩୦) ଓ ଭାରତଛାଡ଼ (୧୯୪୨) ଆନ୍ଦୋଳନକୁ ଅଧିକ ତୀବ୍ର କରିବା ସହ ବ୍ରିଟିଶ୍‌ ସରକାରଙ୍କୁ ଭାରତ ଛାଡ଼ି ଯିବା ପାଇଁ ବାଧ୍ୟ କରିଥିଲା।

ଚଳିତ ମାସ ସେପ୍ଟେମ୍ବର ୫ ତାରିଖରେ ଏ ଲେଖକ ସାମାଜିକ ଗଣମାଧ୍ୟମରେ ଏ ପ୍ରସଙ୍ଗ ଉତ୍‌ଥାପନ କରି ଏକ ଆଲେଖ ଲେଖିଥିଲେ ହେଁ ତାହା ଆମର ବୁଦ୍ଧିଜୀବୀ, ରାଜନେତା ଓ ଗାନ୍ଧିପ୍ରେମୀଙ୍କୁ ବିଶେଷ ପ୍ରଭାବିତ କରିପାରି ନ ଥିଲା। ଆଇପିଏଲ୍‌ର ସ୍କୋର୍‌ ଆଉ ବଲିଉଡ୍‌ରେ ନିଶା ସେବନ ଯେତେବେଳେ ଗଣମାଧ୍ୟମରେ କରୋନାର ଭୟାବହ ଚିତ୍ରକୁ ଘୋଡ଼ାଇ ପକାଉଛି, ସେ ସମୟରେ ୧୦୦ ବର୍ଷ ପୁରୁଣା ଗୋଟିଏ ଆନ୍ଦୋଳନ ବାବଦରେ ଖବରଟିଏ ଗଣମାଧ୍ୟମ ଠାରୁ ଆଶା କରିବା ବୃଥା। ତେବେ ଦୁଇ ବର୍ଷ ତଳେ ନିଜର ଗାନ୍ଧିପ୍ରୀତି ପ୍ରଦର୍ଶନ କରିଥିବା ସରକାର ଏ ପ୍ରସଙ୍ଗରେ ନିରବ ରହିବା ଯେତିକି ଚିନ୍ତାଜନକ, ଏ ଆନ୍ଦୋଳନର ମହାନାୟକ ବୋଲି ନିଜକୁ ଦାବି କରୁଥିବା କଂଗ୍ରେସ ଏହାକୁ ଭୁଲିଯିବା ତତୋଧିକ ଆଶ୍ଚର୍ଯ୍ୟର ବିଷୟ।

ଏବେ ବି ସମୟ ଅଛି। ଚଳିତ ମାସ ଠାରୁ ଆଗାମୀ ସେପ୍ଟେମ୍ବର ୫ ତାରିଖ ଯାଏଁ ଅସହଯୋଗ ଆନ୍ଦୋଳନର ଶତବାର୍ଷିକ ବର୍ଷ ଘୋଷଣା କରି ସରକାର ନିଜର ମହନୀୟତା ପ୍ରଦର୍ଶନ କରିପାରିବେ। ନିଜକୁ ଗାନ୍ଧିବାଦୀ ବୋଲାଉଥିବା ବୁଦ୍ଧିଜୀବୀ ଓ ସ୍ବାଧୀନତା ସଂଗ୍ରାମର ଏକଚାଟିଆ ଉତ୍ତରାଧିକରୀ ବୋଲାଉଥିବା କଂଗ୍ରେସ ଅନ୍ତତଃ ଏ ପ୍ରସଙ୍ଗକୁ ଗୁରୁତ୍ବ ଦେବ ବୋଲି ଆଶା କରିବା।

Comments are closed.