କରୋନା ପରିଚାଳନାରେ ସରକାର ଫେଲ: ପ୍ରଦୀପ୍ତ

ଭୁବନେଶ୍ବର: କରୋନା ପରିଚାଳନାରେ ସରକାର ଫେଲ୍ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରବାସୀ ଓଡ଼ିଆଙ୍କୁ ଆଣିବାରେ ସ୍ବାର୍ଥପର ଭାବେ କାମ କଲେ ମୁଖ୍ୟମନ୍ତ୍ରୀ। ଟିଏମସିରୁ ୭ ଦିନ ଭିତରେ ଛାଡ଼ିଦେଲେ। ସଂକ୍ରମଣ ଚାରିଆଡ଼େ ବ୍ୟାପିଗଲା। ଅଣ କୋଭିଡ୍ ରୋଗୀ ମେଡିକାଲରେ ଚିକିତ୍ସା ପାଉ ନାହାନ୍ତି। କେନ୍ଦ୍ର ସରକାର ୫୬୭ ଭେଣ୍ଟିଲେଟର ଦେଲେ ସେଥିରୁ ୪୨୦ ବ୍ୟବହାର ହେଲା ନାହିଁ। ଜଣେ ରୋଗୀ ପିଛା କେତେ ଟଙ୍କା ଖର୍ଚ୍ଚ ହେଉଛି ସରକାର ଜଣାନ୍ତୁ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ବିରୋଧଙ୍କ ପକ୍ଷରୁ ମୁଲତବୀ ନୋଟିସ ଅଣାଯାଇଥିଲା। ଏହାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗ୍ରହଣ କରିଥିଲେ। ପରେ ଏହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ବିବୃତି ରଖିଥିଲେ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନା ନେଇ କଂଗ୍ରେସ ସରକାରଙ୍କୁ ଘେରିଥିଲା। ରାଜ୍ୟ ସରକାର କରୋନା ତଥ୍ୟ ଲୁଚାଉଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ। ପ୍ରଶ୍ନ ପଚାରିଲେ ସରକାର ତଥ୍ୟ ସଂଗ୍ରହ କରୁଛନ୍ତି। ପ୍ରତ୍ୟହ ୧୦ ହଜାର ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ସରକାର କହୁଛନ୍ତି ୩ରୁ୪ ହଜାର। ରାଜ୍ୟ ଜନସଂଖ୍ୟାରୁ ୭୨ ଲକ୍ଷ ଲୋକ ପଜିଟିଭ ବାହାରିବେ। ଟିଏମସିରେ କେତେ ଖର୍ଚ୍ଚ ହେଲା ଓ କେତେ ଟେଷ୍ଟହେଲା ତାହାର ତଥ୍ୟ ସରକାର ଲୁଚାଉଛନ୍ତି ବୋଲି ଶ୍ରୀ ସାଲୁଜା କହିଥିଲେ। ଏଥିସହ ପ୍ରତି ବ୍ଲକରେ ଦୈନିକ ୫୦୦, ଜିଲ୍ଲାରେ ୫ ହଜାର କୋଭିଡ ଟେଷ୍ଟ କରାଯିବାକୁ ସେ ଦାବି କରିଥିଲେ।