Odisha Link
Bridging the Missing Links in Odisha

ଚନ୍ଦ୍ରପୃଷ୍ଠରେ ଜଳ : ଆବିଷ୍କାର କଲା ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ମଣିଷ ଘର କରି ରହିବାର ବୈଜ୍ଞାନିକ ଆଶା ଆହୁରି ମଜବୁତ ହୋଇ ଯାଇଛି। କାରଣ ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ମିଳିଛି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍ ମିଶନ୍‌’ରେ ପାଣିର ସନ୍ଧାନ ମିଳିଛି ବୋଲି କହିଛି ।

ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଛି । ଏହା ସୋମବାର ଦିନ ନାସା ପକ୍ଷରୁ ପ୍ରକାଶ କରାଯାଇଛି।

ଏହାସହ ଚନ୍ଦ୍ରପୃଷ୍ଠରେ ଅଧିକ ଥଣ୍ଡା ବଳୟ ଥିବା ନେଇ ଆଉ ଏକ ବୈଜ୍ଞାନିକ ଟିମ୍ ଆକଳନ କରିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଯେ, ଚନ୍ଦ୍ରପୃଷ୍ଠରେ ଆହୁରି ଅଧିକରୁ ଅଧିକ ଜଳ ରହିଥିବ। ତେବେ ଏନେଇ ଅଧିକ ଗବେଷଣା ଜାରି ରହିବ ବୋଲି ନାସା କହିଛି। ନାସାର ଏ ତଥ୍ୟ ଭବିଷ୍ୟତରେ ଚନ୍ଦ୍ର ଅଭିଯାନ ଲାଗି ଖୋରାକ ଯୋଗାଇବ।

ଚନ୍ଦ୍ରପୃଷ୍ଠରେ ପାଣି ଥିବା ନେଇ ଅନୁମାନ କରାଯାଉଥିଲା। ଦଶନ୍ଧି ଦଶନ୍ଧି ଧରି ବୈଜ୍ଞାନିକମାନେ ଏନେଇ ସନ୍ଦେହ କରି ଆସୁଥିଲେ। ହେଲେ ନାସା ଏହା ସ୍ପଷ୍ଟ କରିଦେଇଛି ଯେ, ପୃଥିବୀ ପୃଷ୍ଠରୁ ଦେଖାଯାଉଥିବା ଚନ୍ଦ୍ରର ବିରାଟକାୟ ଗର୍ତ୍ତ କ୍ଲାଭିୟସ କାର୍ଟର ଅଞ୍ଚଳରେ ଜଳର ସନ୍ଧାନ ମିଳିଛି।ଏବେ ସୁଦ୍ଧା ହୋଇଥିବା ଅଧ୍ୟୟନରେ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନର କିଛି ଅଂଶ ବିଷୟରେ ଜଣା ପଡ଼ିଥିଲା କିନ୍ତୁ ପାଣି ଏବଂ ପାଣିର ହାଇଡ୍ରାସ୍କିଲର ସୂଚନା ମିଳିନଥିଲା।

ନେଚର ଆଷ୍ଟୋନୋମିର ନିକଟରେ ପ୍ରକାଶିତ ଏହି ଅଧ୍ୟୟନର ରିପୋର୍ଟ ମୁତାବକ ଚନ୍ଦ୍ରର ଏହି ସ୍ଥାନର ଡାଟାରେ ୧୦୦ରୁ ୪୧୨ ପାର୍ଟ ପ୍ରତି ମିଲିୟନର ସାନ୍ଦ୍ରତାରେ ପାଣିର ସନ୍ଧାନ ମିଳିଛି।

Comments are closed.