Odisha Link
Bridging the Missing Links in Odisha

ସୁଶାସନ ତାଲିକାରେ ତଳେ ଓଡ଼ିଶା

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଦେଶର ସବୁଠାରୁ ସୁଶାସିତ ରାଜ୍ୟ ତାଲିକା। ପବ୍ଲିକ୍‌ ଆଫାୟରସ୍‌ କମିଟି (ପିଏସି) ଏହି ତାଲିକା ପ୍ରକାଶ କରିଛି। ଯେଉଁଥିରେ ଦେଶର ସବୁଠାରୁ ସୁଶାସିତ ଓ ଖରାପ ଶାସିତ ରାଜ୍ୟର ନାମ ରହିଛି। ଏହି ସୁଶାସନ ରାଜ୍ୟ ତାଲିକାରେ ବାଜି ମାରିଛନ୍ତି ଅଣବିଜେପି ଓ କଂଗ୍ରସ ଶାସିତ ରାଜ୍ୟ ଗୁଡ଼ିକ। ଆଉ ପ୍ରକାଶ ପାଇଥିବା ସବୁଠୁ ଖରାପ ରାଜ୍ୟ ତାଲିକାରେ ଉତ୍ତର ପ୍ରଦେଶ, ଓଡ଼ିଶା ଓ ବିହାର ରାଜ୍ୟ ରହିଛି। ଅର୍ଥାତ୍‌ ସୁଶାସିତ ରାଜ୍ୟ ତାଲିକାରେ ତଳଆଡ଼ୁ ଦ୍ବିତୀୟରେ ଅଛି ଓଡ଼ିଶା।

ରାଜ୍ୟରେ ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ସ୍ଥିର ଶାସନ ଓ ସ୍ଥିର ସରକାର ରହିଛି। ରାଜ୍ୟରେ ରାଜ୍ୟବାସୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ପାଇଁ ରାଜ୍ୟ ସରକାର ଗତବର୍ଷ ଗାନ୍ଧୀ ଜୟନ୍ତୀରେ ‘ମୋ ସରକାର’ର ପରିକଳ୍ପନା କରିଥିଲେ। ପରେ ପରେ ଏହି ପରିକଳ୍ପନାରେ ୫-ଟିକୁ ଆଧାର କରାଯାଇଥିଲା। ଏବେ ସୁଦ୍ଧା ରାଜ୍ୟରେ ମୋ ସରକାର ଓ ୫-ଟି କୁ ନେଇ ଚର୍ଚ୍ଚା ଥମିନାହିଁ। ଏସବୁ ମଧ୍ୟରେ ପିଏସି ଦ୍ବାରା ପ୍ରକାଶିତ ସୁଶାସିତ ରାଜ୍ୟ ତାଲିକାରେ ତଳଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି ଓଡ଼ିଶା। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ନିକଟରେ ପିଏସି ଜାରି କରିଥିବା ରିପୋର୍ଟରେ କେରଳ ଦେଶର ସର୍ବୋତ୍ତମ ଶାସିତ ରାଜ୍ୟ ଭାବେ ନାମିତ ହୋଇଛି। ସେହିପରି ଚାରୋଟି ଦକ୍ଷିଣ ରାଜ୍ୟ ରାଙ୍କିଙ୍ଗରେ ଶୀର୍ଷରେ ମଧ୍ୟ ରହିଛନ୍ତି। ପିଏସି ରାଙ୍କିଙ୍ଗ ଅନୁଯାୟୀ ପ୍ରଥମରେ କେରଳ ୧.୩୮୮, ଦ୍ୱିତୀୟରେ ତାମିଲନାଡୁ ୦.୯୧୨, ତୃତୀୟରେ ଆନ୍ଧ୍ରପ୍ରଦେଶ ୦.୫୩୧ ଏବଂ ଚତୁର୍ଥରେ କର୍ଣ୍ଣାଟକ ୦.୪୬୮ ପଏଣ୍ଟ ପାଇଛନ୍ତି। ଉତ୍ତର ପ୍ରଦେଶ, ଓଡ଼ିଶା ଏବଂ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଏବଂ ରାଙ୍କିଙ୍ଗର ତଳେ ରହିଛନ୍ତି। ସେମାନେ ଯଥାକ୍ରମେ -୧.୪୬୧, -୧.୨୦୧ ଏବଂ -୧.୧୫୮ ପଏଣ୍ଟ ସ୍କୋର କରିଥିଲେ। ଏହା ଉପରକୁ ଖରାପ ପ୍ରଦର୍ଶନକାରୀମାନେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହେଉଛନ୍ତି ମଣିପୁର -୦.୩୬୩, ଦିଲ୍ଲୀ -୦.୨୮୯ ଏବଂ ଉତ୍ତରାଖଣ୍ଡ -୦.୨୭୭। ଛୋଟ ରାଜ୍ୟ ବର୍ଗରେ ଗୋଆ ୧.୭୪୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି, ତା’ପରେ ମେଘାଳୟ ୦.୭୯୭ ଏବଂ ହିମାଚଳ ପ୍ରଦେଶ ୦.୭୨୫ ରହିଛି।

କେନ୍ଦ୍ର ଶାସିତ ରାଜ୍ୟ ତାଲିକାରେ ଚଣ୍ଡିଗଡ଼ ୧.୦୫ ପଏଣ୍ଟ ସହିତ ସର୍ବୋତ୍ତମ ଶାସିତ କେନ୍ଦ୍ର ଶାସିତ ରାଜ୍ୟ ଭାବରେ ଉଭା ହୋଇଛି। ତା’ପରେ ପୁଡୁଚେରୀ ୦.୫୨ ଏବଂ ଲାକ୍ଷାଦ୍ୱୀପ ୦.୦୦୩, ଦାଦରା ନଗର ହାଭେଲି -୦.୬୯, ଆଣ୍ଡାମାନ, ଜମ୍ମୁ କଶ୍ମୀର-୦.୫୦ ଏବଂ ନିକୋବର -୦.୩୦ ସର୍ବନିମ୍ନ ପ୍ରଦର୍ଶନ କରିଛନ୍ତି।

ପିଏସି ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ବିକାଶ ପ୍ରସଙ୍ଗରେ ଏକ ମିଶ୍ରିତ ସୂଚକାଙ୍କ ଉପରେ ଆଧାର କରି ରାଜ୍ୟଗୁଡିକ ଶାସନ ପରିଚାଳନା ଉପରେ ସ୍ଥାନିତ ହୋଇଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଏହି ତାଲିକା ପ୍ରକାଶ ପାଇଛି।

Comments are closed.