ନାବାଳିକାଙ୍କ ମୃତ୍ୟୁ ପରେ ମେଡ଼ିକାଲରେ ଉତ୍ତେଜନା

ବାରିପଦା: ଚିକିତ୍ସାରେ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ ପରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି। ମେଡ଼ିକାଲ ଭିତରେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କ ବୁଝାସୁଝା କରିଛି। ତଥାପି ଏବେ ମଧ୍ୟ ମେଡିକାଲ ପରିସରରେ ଚାପା ଉତେଜନା ଲାଗି ରହିଛି।
ପ୍ରକାଶ ଯେ, ଆଜି ସକାଳ ସମୟରେ ୧୭ ବର୍ଷର ନାବାଳିକା ସୁପ୍ରିୟା ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖଣ୍ଟା ବ୍ଲକ ସପନଚୂଆ ଗାଁ ସୁପ୍ରିୟା ସକିଲ୍ସେଲ ରୋଗରେ ପୀଡିତ ଥିଲେ। ତାଙ୍କୁ ପ୍ରତି ୩ ମାସରେ ରକ୍ତ ଦିଆଯାଉଥିଲା। ସୁପ୍ରିୟାଙ୍କୁ ରକ୍ତ ଦେବା ପାଇଁଗତ ୩୦ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଭର୍ତି କରାଯାଇଥିଲା। ତେବେ ରୋଗୀଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ ପରିବାର ଲୋକ ଦାବି କରିଥିଲେ।
ଆଜି ଯାଏଁ ରକ୍ତ ଦିଆଯାଇ ନଥିଲା, ତେଣୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀ ସଂପର୍କୀୟ। ଚିକିତ୍ସାରେ ଅବହେଳା ଅଭିଯୋଗରେ ଡାକ୍ତରଖାନାରେ ଉତ୍ୟେକ୍ତ ଲୋକ ପାଟିତୁଣ୍ଡ କରିବା ସହ ମେଡିକାଲ ଭିତରେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା କରିଛନ୍ତି। ଏହାସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଡାକ୍ତରଖାନା ପରିସରରେ ତାଲା ପକାଇ ଦେଇଛନ୍ତି।
Comments are closed.