Odisha Link
Bridging the Missing Links in Odisha

ଆରମ୍ଭ ହେଲା ବାଲେଶ୍ବର ସଦର ଓ ତିର୍ତ୍ତୋଲରେ ଭୋଟ ଗ୍ରହଣ

ଭୁବନେଶ୍ବର: ସବୁ ଅପେକ୍ଷାର ଅନ୍ତ ଘଟିଛି। ଆରମ୍ଭ ହୋଇଛି ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। କୋଭିଡ୍ କଟକଣା ମଧ୍ୟରେ ଉଭୟ ଆସନରେ ଉପନିର୍ବାଚନ ଭୋଟ ଗ୍ରହଣ କରାଯାଉଛି।ଭୋଟରମାନେ ଗ୍ଲୋଭସ ପିନ୍ଧି ଇଭିଏମ ବଟନ୍ ଦବାଇ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ।

ବୁଥ୍ ଭିତରକୁ ଯିବା ପୂର୍ବରୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଯଦି ଭୋଟରଙ୍କ ଦେହର ତାପମାତ୍ରା ଅଧିକ ରୁହେ ତେବେ ତାଙ୍କୁ ଏକ କୁପନ୍ ଦିଆଯିବ। ସେ ମତଦାନର ଶେଷ ଘଣ୍ଟାରେ ଆସି ଭୋଟ ଦେବେ। ବାଲେଶ୍ବରରେ ୨ ଲକ୍ଷ ୩୦ ହଜାର ୨୯୭ ଏବଂ ତିର୍ତ୍ତୋଲରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥର ବୁଥ୍ ସଂଖ୍ୟା ବଢାଯାଇଛି।

ବାଲେଶ୍ବର ସଦରରେ ୩୪୬ ଏବଂ ତିର୍ତ୍ତୋଲରେ ୩୭୩ ବୁଥ୍ ରେ ମତଦାନ ହେଉଛି। ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ମତଦାତା ଭୋଟ ଦେବେ। ଗୋଲେଇ ଭିତରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରି ଭୋଟର ଠିଆ ହେବେ। ସୁରୁଖୁରୁରେ ମତଦାନ ଲାଗି ୮ଶହ ଆଶା କର୍ମୀ ଏବଂ ୮ଶହ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ମତଦାନ ପାଇଁ ଭୋଟରମାନେ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ।

୧୧ଟି ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏ ନେଇ ପାରିବେ। ବାଲେଶ୍ବରରେ ୮୬ ଟି ଏବଂ ତିର୍ତ୍ତୋଲରେ ୧୫୫ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଅବାଧ ନିର୍ବାଚନ ଲାଗି ୩୫ଶହ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥା ପାଇଁ ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି।

ଠିକ୍‌ ସେହିପରି ଭୋଟିଂ ଆରମ୍ଭ ହେବା ପୂର୍ବରୁ ୫ ରାଉଣ୍ଡର ମକ୍ ପୋଲ କରାଯାଇଥିଲା। ଇଭିଏମରେ ଥିବା ପ୍ରତି ପ୍ରାର୍ଥୀଙ୍କ ପାଇଁ ୫ ରାଉଣ୍ଡ ମକ୍ ପୋଲ୍ କରାଯାଇଥିଲା। ସବୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ୫ ରାଉଣ୍ଡ ଲେଖାଏଁ ମକ୍ ପୋଲ୍ କରାଯାଇଥିଲା। ଏହି ଏହି ମକ୍ ପୋଲ୍ ର ଚିରକୁଟିକୁ ନେଇ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି କରାଯାଇଥିଲା। ଏହାପରେ ପ୍ରକୃତ ଭୋଟିଂ ପ୍ରକ୍ରିୟା ପାଇଁ ସବୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିତରେ ଇଭିଏମ୍ ସିଲ୍ କରାଯାଇଛି। ଭୋଟଦାନ ପ୍ରକ୍ରିୟା ପୂର୍ବରୁ ଏହି ମକ୍ ପୋଲ୍ କରାଯାଇଥାଏ।

Comments are closed.