Odisha Link
Bridging the Missing Links in Odisha

ରାଜ୍ୟରେ କଂଗ୍ରେସ ଶକ୍ତିହୀନ, ଆଗକୁ ଦ୍ୱିପାକ୍ଷିକ ଲଢେଇ: ସମୀର ମହାନ୍ତି

ଭୁବନେଶ୍ୱର: ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନର୍ବାଚନକୁ ବିଜେପି ପ୍ରସଙ୍ଗ ଭିତିକ ଭାବେ ଲଢେଇ କରିଥିଲା। ମୋଦି ସରକାର ହଜାର ହଜାର କୋଟି ଟଙ୍କା ଦେବା ସତ୍ତ୍ବେ ରାଜ୍ୟସରକାରଙ୍କ କୋଭିଡ-୧୯ କୁପରିଚାଳନା ଯୋଗୁଁ ଅମୂଲ୍ୟ ଜୀବନହାନୀ ହେବା, ମୋଦି ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ପାଇଁ ଆସୁଥିବା ଅର୍ଥର ବାଟମାରଣା ଓ ବ୍ୟାପକ ଭ୍ରଷ୍ଟାଚାର ଆଦିକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଲଢୁଥିଲା।

କରୋନା ସମୟରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡିଆ ଶ୍ରମିକ ଭାଇ ଭଉଣୀମାନଙ୍କୁ ରୋଜଗାରକ୍ଷମ ନକରାଇ ପ୍ରତାରଣା କରିବା ପ୍ରସଙ୍ଗ ଆମେ ଉଠାଇଥିଲୁ। ଅନ୍ୟପଟେ କଂଗ୍ରେସର କେବଳ ମିଥ୍ୟା ପ୍ରଚାର ଛଡା ଆଉ କୌଣସି ପ୍ରସଙ୍ଗ ନଥିଲା। ରାଜ୍ୟରେ ଏବେ କଂଗ୍ରେସ ଶକ୍ତିହୀନ ହୋଇପଡିଛି। ଉପନିର୍ବାଚନରେ ବାଲେଶ୍ୱର ଏବଂ ତିର୍ତୋଲବାସୀ ଏହାର ସଙ୍କେତ ଦେଇଛନ୍ତି।

୨୦୧୯ ନିର୍ବାଚନରେ ବିଜେପିକୁ ବିରୋଧୀ ଦଳର ମାନ୍ୟତା ଦେଇ କଂଗ୍ରେସକୁ ବ୍ୟାକଫୁଟକୁ ଠେଲିଥିଲେ ଓଡିଶାର ଜନତା। ଦୁଇ ନମ୍ବର ସ୍ଥାନରୁ ତିନି ନମ୍ବର ସ୍ଥାନକୁ ଖସିବା ପରେ ବି କଂଗ୍ରେସ ଦେଢ ବର୍ଷ ମଧ୍ୟରେ କେବଳ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ବିଭ୍ରାନ୍ତି କରି ଚାଲିଛି। ଆଗାମୀ ନିର୍ବାଚନରେ ଓଡିଶା କଂଗ୍ରେସ ମୁକ୍ତ ହେବାବେଳେ ରାଜ୍ୟରେ କେବଳ ଦ୍ୱିପାକ୍ଷିକ ନିର୍ବାଚନ ହେବ ବୋଲି ଏହି ଉପନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି।

କରୋନା ମହାମାରୀ ସମୟରେ ରାଜ୍ୟରେ ଦୁଇଟି ଉପନିର୍ବାଚନ ଶେଷ ହୋଇଛି। ଏଭଳି ଏକ ସଙ୍କଟ ସମୟରେ ଘରୁ ବାହାରି ନିଜ ମତ ସାବ୍ୟସ୍ତ କରିଥିବାରୁ ବାଲେଶ୍ୱର ଏବଂ ତିର୍ତୋଲବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଦେବା ସହ ଏହି ଜମମତକୁ ନମ୍ରତାର ସହ ସ୍ୱୀକାର କରି ଲୋକଙ୍କ ରାୟଙ୍କୁ ସମ୍ମାନ ଜଣାଇଛନ୍ତି।

ସେହିପରି ଏହି ଦୁଇଟି ବିଧାନସଭାରେ କରୋନା ସମୟରେ ଘରୁ ବାହାରି କଠିନ ପରିଶ୍ରମ କରିଥିବା ଦଳୀୟ ନେତା ଏବଂ କାର୍ଯ୍ୟକର୍ତାଙ୍କୁ ଶ୍ରୀ ମହାନ୍ତି ସାଧୁବାଦ ଜଣାଇଛନ୍ତି। ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ସୁଦୃଢ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହେବୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଗୋଲକ ମହାପାତ୍ର ଏବଂ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.