Odisha Link
Bridging the Missing Links in Odisha

କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? ନୀତିଶ କୁମାର କହିଲେ ଏହି କଥା, ଲାଗି ରହିଛି ଚର୍ଚ୍ଚା

ପାଟନା: ବିହାର ରାଜନୀତିକୁ ନେଇ ଚର୍ଚ୍ଚା। ବିହାରରେ ସରକାର ଗଠନ କରିବାକୁ ଏନଡିଏ ମ୍ୟାଜିକ ନମ୍ବର ହାସଲ କରିଥିଲେ ହେଁ କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଗୁରୁବାର ଜେଡିୟୁର ନବନିର୍ବାଚିତ ବିଧାୟକଙ୍କୁ ଭେଟିଛନ୍ତି ନୀତିଶ କୁମାର। ଆଗାମୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ନୀତିଶ ଦେଇଥିବା ପ୍ରତିକ୍ରିୟା ଏବେ ଚର୍ଚ୍ଚାରେ। ନିଜେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦାବି କରିନଥିବା ବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଏନଡିଏ ନିଷ୍ପତ୍ତି ନେବ ବୋଲି କହିଛନ୍ତି ନୀତିଶ କୁମାର।

ଗୁରୁବାର ନୀତିଶ କୁମାର କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ହେବାକୁ କୌଣସି ଦାବି କରି ନାହିଁ। ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ତା’ର ନିଷ୍ପତ୍ତି ଏନଡିଏ ନେବ। ଆମେ ବର୍ତ୍ତମାନ ନିର୍ବାଚନର ଫଳାଫଳକୁ ସମୀକ୍ଷା କରୁଛୁ। ଏବେ ଶପଥ ଗ୍ରହଣ ଉତ୍ସବ ତାରିଖ ଧାର୍ଯ୍ୟ ହୋଇନାହିଁ। ୪ ଦଳର ବୈଠକ ହେବ। ବୈଠକରେ ଚର୍ଚ୍ଚା ପରେ ସବୁ କଥା ଠିକ୍‌ ହେବ ବୋଲି ନୀତିଶ କୁମାର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏନଡିଏ ପାଖରେ ପର୍ଯ୍ୟାପ୍ତ ବହୁମତ ରହିଛି। ସରକାର ଚଳାଇବାକୁ କୌଣସି ଅସୁବିଧା ନାହିଁ। ବିହାରବାସୀ ଏନଡିଏକୁ ମଉକା ଦେଇଛନ୍ତି। ଆମ ଉପରେ କୌଣସି ପ୍ରକାର ଚାପ ପଡ଼ିନଥିଲା। ପ୍ରତିଟି ସିଟ୍‌ରେ ବିଶ୍ଳେଷଣ ଚାଲିଛି। ଏନଡିଏର ସମସ୍ତ ମିଶ୍ରଣ ଦଳ ମିଳି ମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି ନୀତିଶ କୁମାର।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, କ୍ରାଇମ୍‌, କରପ୍ସନ ଓ କମ୍ୟୁନାଲିଜିମ୍‌କୁ ବରଦାସ୍ତ କରାଯିବ ନାହିଁ। ବିହାରରେ ଅପରାଧ କମିଛି ବିକାଶ ବଢ଼ିଛି। ତେବେ ଏନଡିଏର ବିଜୟ ପାଇଁ ନିଜର କାମ ଓ ଉପଲବ୍ଧିକୁ କାରଣ ବୋଲି କହିଛନ୍ତି ନୀତିଶ କୁମାର।

ସୂଚନାଥାଉକି, ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ଦଳ ମାତ୍ର ୪୩ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୭୪ଟି ଆସନ ଜିତିଛି। ତେଣୁ ବଡ଼ ଭାଇ ରହିଥିବା ଜେଡିୟୁ ଏବେ ସାନ ଭାଇ ହୋଇଯାଇଛି। ଏବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଏନଡିଏ ମେଣ୍ଟରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ ନା ବିଜେପିର କେଉଁ ନେତା ଏହି ପଦ ସମ୍ଭାଳିବେ, ତା’କୁ ନେଇ ରାଜନୀତି ସରଗରମ ହୋଇଛି।

Comments are closed.