Odisha Link
Bridging the Missing Links in Odisha

ହୃଦୟ ଜିଣିଲେ ଟ୍ରାଫିକ୍‌ ପୁଲିସ

ଭୁବନେଶ୍ବର: ଅନେକ ସମୟରେ ଆପଣ ପୁଲିସର ବର୍ବରତାର କାହାଣୀ ଶୁଣିଥିବେ ଓ ଦେଖିଥିବେ। କେଉଁଠି ଗରିବ ବ୍ୟବସାୟୀର ପରିବା ଟ୍ରଲି ଓଲଟାଇ ଦେଲେଣି ତ କେଉଁଠି ରାସ୍ତାକଡ଼ ପରିବା ଦୋକାନ ଉପରେ ଗାଡ଼ି ଚଢ଼େଇ ଦେଲେଣି, ପୁଣି କେଉଁଠି ବେଆଇନ ବ୍ୟବସାୟର ଅଭିଯୋଗ ଆଣି ମାଡ଼ ମାରିଲେଣି। ତେବେ ନାନାଦି ନକରାତ୍ମକ ଚିତ୍ର ଭିତରେ ଆଜି ଏକ ମହନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ରାଜରାସ୍ତାରେ। ଉପର ସବୁ ଅଭିଯୋଗକୁ ଏଡ଼େଇଦେଇ ସହୃଦୟତାର ସୁନ୍ଦର ଉଦାହରଣ ଦେଖାଇଛନ୍ତି ପୁଲିସ ବାବୁ।

ରାଜଧାନୀର ଏୟାରପୋର୍ଟ ଛକରେ ଆଜି ସକାଳେ ଏ ଦୃଶ୍ୟ ଦେଖିବାକୁ ମିଳିଛି। ଜନଗହଳ ଛକରେ ଗାଡ଼ି ପଛରେ ଏକ ଟମାଟୋ ଡାଲା ନେଇ ଯାଉଥିବା ଜଣେ ବ୍ୟବସାୟୀ ହଠାତ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଟମାଟୋ ସବୁ ଛିଟିକି ପଡ଼ି ରାସ୍ତାସାରା ଖେଳେଇ ହୋଇଯାଇଥିଲା। ଟିକିଏ ବିଳମ୍ବ ହୋଇଥିଲେ ହୁଏତ ସବୁ ଟମାଟୋ ସେଇ ବାଟ ଦେଇ ଯାଉଥିବା ଗାଡ଼ି ଚକାତଳେ ଚାପି ହୋଇଥାଆନ୍ତା। କିନ୍ତୁ ଏ ସମୟରେ ବ୍ୟବସାୟୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସେଠାରେ କାର୍ଯ୍ୟରତ ଦୁଇ ଟ୍ରାଫିକ ପୁଲିସ କର୍ମଚାରୀ।

ଜଣେ ଟ୍ରାଫିକ୍‌ ପୁଲିସ ଗାଡ଼ିମାନଙ୍କୁ ଅଟକାଇ ରାସ୍ତାରେ ପଡ଼ିଥିବା ଟମାଟୋ ସବୁକୁ ସୁରକ୍ଷା ଦେଇଥିଲେ। ଅନ୍ୟ ଜଣେ ଟ୍ରାଫିକ୍‌ କର୍ମଚାରୀ ବ୍ୟବସାୟୀଙ୍କ ସହ ମିଶି ଟମାଟୋ ଗୋଟାଇ ପୁଣି ଡାଲାରେ ରଖିଥିଲେ। ଦେଖଣାହାରି ଟ୍ରାଫିକ୍‌ ପୁଲିସଙ୍କ ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଏହି ସମୟୟର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାାରିତ ହେବା ପରେ ବିଭିନ୍ନ ମମହଲରୁ ଧନ୍ୟବାଦ ଓ ଶୁଭେଚ୍ଛାର ସୁଅ ଛୁଟିଛି। ପୁଲିସ ବିଭାଗ ଏହି ଦୁଇ କନିଷ୍ଠ କର୍ମଚାରୀଙ୍କ ଠାରୁ ଶିକ୍ଷା କରିବା ଉଚିତ ଓ ଲୋକଙ୍କ ପ୍ରତି ଅଧିକ ବନ୍ଧୁଭାବାପନ୍ନ ହେବା ଆବଶ୍ୟକ ବୋଲି ଅନେକେ ମତ ଦେଇଛନ୍ତି।

Comments are closed.