Odisha Link
Bridging the Missing Links in Odisha

ପୁଣି ଆରମ୍ଭ ହେବ ‘ମୋ ସରକାର’ ଫୋନ୍‌ ଫିଡ୍‌ବ୍ୟାକ୍‌

କଟକ: ପୁଣି ଆରମ୍ଭ ହେବ ‘ମୋ ସରକାର’ ଫୋନ୍‌ ଫିଡ୍‌ବ୍ୟାକ୍‌। କିଛି ମାସ ପୂର୍ବରୁ ‘ମୋ ସରକାର’ ବ୍ୟବସ୍ଥାରେ ପୁଲିସ ବିଭାଗ ସମ୍ପର୍କରେ ଲୋକମାନେ ନିଜର ମତ ଦେଉଥିଲେ। ଫୋନ୍‌ କରି ପୁଲିସ ପକ୍ଷରୁ ଅଭିଯୋଗକାରୀଙ୍କୁ ବିଭାଗର କାର୍ଯ୍ୟଶୈଳୀ ନେଇ ସନ୍ତୁଷ୍ଟ ଅଛନ୍ତି କି ନାହିଁ ତାହା ପଚରା ଯାଉଥିଲା। ମାତ୍ର କରୋନା କାଳରେ ଏହି ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। ତାହାକୁ ଏବେ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ବିଭିନ୍ନ ପ୍ରସଙ୍ଗରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସମୀକ୍ଷା କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ଥିବା ବେଳେ ଜିଲ୍ଲା ପୁଲିସ ଓ ରେଂଜ କାର୍ଯ୍ୟାଳୟଗୁଡ଼ିକର ଅନ୍ୟ ପୁଲିସ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସିଂରେ ଯୋଡ଼ି ହୋଇଥିଲେ।

ଏହି କ୍ରମରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଅଭିଯୁକ୍ତମାନେ ଗିରଫ ତଥା ହାଜତ ରହଣି ବେଳେ ନିୟମ ବହିର୍ଭୂତ କାର୍ଯ୍ୟ କିମ୍ବା ଅନିୟମିତତାକୁ ପ୍ରତିରୋଧ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଏଏସ୍‌ଆଇ ର‌୍ୟାଙ୍କ୍‌କୁ ପଦୋନ୍ନତି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ସେହିପରି ବିଭିନ୍ନ ଜିଲ୍ଲାରେ କନ୍‌ଷ୍ଟେବଲରୁ ସିଆଇ ହାବିଲଦାର ଓ ଲାନ୍ସନାୟକ ପଦବିକୁ ହେବାକୁଥିବା ପଦୋନ୍ନତିର ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଛି। ଏଥିସହିତ ଅବଧି ପୂର୍ବରୁ ଅବସର ଦେବା ଓ ଭଲ କାର୍ଯ୍ୟ କରୁଥିବା ଅଫିସର କିମ୍ବା କର୍ମଚାରୀଙ୍କୁ ସମୟ ପୂର୍ବରୁ ପଦୋନ୍ନତିକୁ ପ୍ରୋତ୍ସାହନ ପ୍ରଦାନ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା କରାଯାଇଛି।

ବୈଠକରେ ସମସ୍ତ ଜିଲ୍ଲା ଏସ୍‌ପି, କଟକ ଓ ରାଉରକେଲା ରେଳବାଇ ଏସ୍‌ପି, ସମସ୍ତ ରେଂଜ ଆଇଜି, ରେଂଜ ଡିଆଇଜି, ଏଡିଜି ରେଳବାଇ, ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ, ଆଇଜି ଅପରେସନ୍‌, ଏଡିଜି ହେଡ୍‌କ୍ୱାଟର୍ସ, ଏଡିଜି ଆଇନ ଶୃଙ୍ଖଳା, ଆଇଜି ଆଧୁନିକୀକରଣ, ଆଇଜି ପ୍ରୋଭିଜନିଂ ଓ ଆଇଜି ପର୍ସୋନେଲ୍‌ ପ୍ରମୁଖ ସାମିଲ ହୋଇଥିଲେ।

Comments are closed.