Odisha Link
Bridging the Missing Links in Odisha

ସଚିନଙ୍କ ୧୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ, ରଚିଲେ ଇତିହାସ

କାନବେରା: ଲଗାତାର ଦୁଇଟି ମ୍ୟାଚ୍‌ ହାରିବା ପରେ ବୁଧବାର ଦିନିକିଆ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆ ୧୩ ରନରେ ଅଷ୍ଟ୍ରେଲିଆକୁ ହରାଇଛି। ଏଥିସହିତ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ରନ୍‌ ମେସିନ୍‌ କୋହଲି।

ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ଦିନିକିଆରେ ୧୨ ହଜାର ରନ୍‌ ସଂଗ୍ରହ କରିବା କ୍ଷେତ୍ରରେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି କୋହଲି। ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ମାତ୍ର ୨୩ ରନ୍‌ ଆବଶ୍ୟକ କରୁଥିଲେ କୋହଲି। କୋହଲି ନିଜର ୨୫୧ ମ୍ୟାଚର ୨୪୨ତମ ଇନିଂସରେ ୧୨ହଜାର ରନ୍ ପୂରଣ କରିଛନ୍ତି। ସଚିନ୍ ୩୦୯ ମ୍ୟାଚରେ ୩୦୦ ଇନିଂସରେ ୧୨ହଜାର ଦିନିକିଆ ରନ୍ ପୂରଣ କରିଥିଲେ କିନ୍ତୁ କୋହଲି ସଚିନଙ୍କଠାରୁ ୫୮ ଇନିଂସ ପୂର୍ବରୁ ଏହି ସଫଳତା ହାସଲ କରିଛନ୍ତି । ସଚିନଙ୍କ ନାଁରେ ଥିବା ୧୭ ବର୍ଷର ପୁରୁଣା ରେକର୍ଡକୁ ଏବେ ନିଜ ନାଁରେ କରାଇଛନ୍ତି ବିରାଟ। ସଚିନ୍ ୨୦୦୩ ବିଶ୍ବ କପରେ ପାକିସ୍ତାନ ବିପକ୍ଷ ମୁକାବିଲାରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚରେ ସଚିନ୍ ୯୮ ରନର ସ୍ମରଣୀୟ ଇନିଂସ୍ ଖେଳିଥିଲେ।

ଦିନିକିଆରେ ବିରାଟ କୋହଲି ୪୩ଟି ଶତକ ଓ ୬୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସଚିନଙ୍କଠାରୁ ଆଉ ୯ଟି ଶତକ ପଛରେ ରହିଛନ୍ତି ବିରାଟ । ଷଷ୍ଠ ଖେଳାଳି ଭାବରେ ୧୨ ହଜାର ରନ୍ କ୍ଲବରେ ନିଜ ନାଁ ଲେଖାଇଛନ୍ତି ବିରାଟ କୋହଲି ଦିନିକିଆରେ ୧୨ ହଜାର ରନ୍‌ ସଂଗ୍ରହ କରିବା ତାଲିକାରେ ସଚିନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା, ସନତ ଜୟସୁରିଆ ଓ ମାହେଲା ଜୟବର୍ଦ୍ଧନେ ପ୍ରମୁଖ କ୍ରମାନ୍ବୟରେ ରହିଛନ୍ତି।

ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ୨୫୦ଟି ମ୍ୟାଚ୍‌ ଖେଳି ୫୯.୨୯ ପ୍ରତିଶତରେ ୧୧୯୭୭ରନ୍‌ ସଂଗ୍ରହ କରିଛନ୍ତି। ବିରାଟ କୋହଲି ଦିନିକିଆ କ୍ରିକେଟରେ ୪୩ଟି ଶତକ ଓ ୫୯ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି। ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ଠାରୁ ସବୁଠାରୁ ଅଧିକ ଶତକ କେବଳ ସଚିନ ତେନ୍ଦୁଲକାରଙ୍କ ନାଁରେ ରହିଛି। ସଚିନଙ୍କ ନାଁରେ ୪୯ଟି ଶତକ ରହିଥିବା ବେଳେ ଏବେ ବିରାଟ କୋହଲିଙ୍କ ନିକଟରେ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ମଧ୍ୟ ରହିଛି।

Comments are closed.