Odisha Link
Bridging the Missing Links in Odisha

କରୋନା କାଳରେ କେଉଁଠି ଥିଲେ ‘ମୋ ପରିବାର’ ମୁଖ୍ୟ?

ଭୁବନେଶ୍ବର: କେବଳ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନୁହନ୍ତି, କରୋନା କାଳରେ ଅନ୍ୟଜଣେ ବିଜେଡି ନେତା ମଧ୍ୟ ଗିରଫ ଅଭୟ-ଆକାଶ ପାଠକଙ୍କ ଚାର୍ଟର ଫ୍ଲାଇଟ୍‌ରେ ଯାତ୍ରା କରିଥିଲେ। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପ୍ରଦୀପଙ୍କ ପତ୍ନୀ ସୁଜାତା। ବିଜେଡିର ପ୍ରଭାବୀ ନେତା ତଥା “ଓଡ଼ିଶା ମୋ ପରିବାର” ମୁଖ୍ୟ ଅରୂପ ପଟ୍ଟନାୟକ ଅଶୋକ ପାଠକଙ୍କ ସହ ଯାତ୍ରା କରିଥିବା ସେ ଦାବି କରିଛନ୍ତି। ପ୍ରଦୀପ ଚାର୍ଟର ଫ୍ଲାଇଟ୍‌ରେ ଦିଲ୍ଲୀ ଯିବା ଯଦି ଜନବିରୋଧୀ କାର୍ଯ୍ୟ ତେବେ ଅରୂପଙ୍କ ମଉଜ କ’ଣ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ସୁଜାତା।

ସୁଜାତାଙ୍କ ସୂଚନା ଅନୁସାରେ ଜୁଲାଇ ୧୧ ତାରିଖରେ ଗିରଫ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟ ପାଠକଙ୍କ ପୁଅ ଆକାଶ ଓ ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନ ଯୋଗେ ପୂଣେ ଯାଇଥିଲେ। ପୂଣେରେ ଅଭୟ ପାଠକଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି ଯାହା ଉପରେ ନିକଟରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଥିଲା। କନ୍ୟା ଓ ଭାବି ଜ୍ବାଇଁ ପୂଣେରେ ଓହ୍ଲାଇଥିବା ବେଳେ ଫ୍ଲାଇଟ୍‌ଟି କେବଳ ଅରୂପ ପଟ୍ଟନାୟକଙ୍କୁ ନେଇ ଆଗକୁ ବଢ଼ିଥିଲା। ଅରୂପ ଏଥିରେ ମୁମ୍ବାଇ ଯାଇଥିଲେ ବୋଲି ସୁଜାତା କହିଛନ୍ତି।

ରାଜ୍ୟରେ, ବିଶେଷ କରି ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଉଦ୍‌ବେଗଜନକ ଥିବା ସମୟରେ ପ୍ରଦୀପ ପାଣିଗ୍ରାହୀ ବ୍ୟକ୍ତିଗତ ବିମାନରେ ବୁଲିବା ଓ ଦିଲ୍ଲୀ ହୋଟେଲରେ ରହିବା ଜନବିରୋଧୀ ବୋଲି ଦର୍ଶାଇଛି ବିଜୁ ଜନତା ଦଳ। ଏହି କାରଣରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଦଳ ସ୍ପଷ୍ଟ କରିଛି। ଅନ୍ୟପଟେ ସମାନ ମଉଜ କରିଥିବା ଅରୂପ ପଟ୍ଟନାୟକଙ୍କ କାର୍ଯ୍ୟ କ’ଣ ଜନବିରୋଧୀ ନୁହେଁ କି ବୋଲି ସୁଜାତା ପ୍ରଶ୍ନ କରିଛନ୍ତି।

ସୁଜାତାଙ୍କ ମନ୍ତବ୍ୟ ପରେ ଅରୂପଙ୍କ ପାଇଁ ଅଡ଼ୁଆ ବଢ଼ିଛି। ପୂର୍ବରୁ ମୁମ୍ବାଇ ପୁଲିସ କମିଶନର୍‌ ଥିବା ଅରୂପ ଜୁଲାଇ ୧୧ରେ କ’ଣ ପାଇଁ ମୁମ୍ବାଇ ଯାଇଥିଲେ ଓ ଅଭିଯୁକ୍ତି ପାଠକ ବାପ-ପୁଅଙ୍କ ବ୍ୟକ୍ତିଗତ ବିମାନ କ’ଣ ପାଇଁ ବ୍ୟବହାର କରିଥିଲେ ସେ ନେଇ ଚର୍ଚ୍ଚା ବଢ଼ିଛି। ଅନ୍ୟପଟେ ଅରୂପ ନିର୍ବାଚିତ ଜନପ୍ରତିନିଧି ହୋଇ ନଥିବାରୁ ତାଙ୍କର ଏ ମଉଜକୁ ଜନବିରୋଧୀ ଭାବେ ଗଣାଯିବ ନାହିଁ ବୋଲି ତାଙ୍କର କିଛି ସମର୍ଥକ ଯୁକ୍ତି ବାଢ଼ିଛନ୍ତି।

Comments are closed.