Odisha Link
Bridging the Missing Links in Odisha

ସବୁ ଥାନାରେ CCTV ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଣିକି ଦେଶର ସବୁ ଥାନାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ଏଥିସହ ଅନ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇ, ଏନ୍‌ସିବି, ଏନ୍‌ଆଇଏ, DRI ଓ ଇଡି ଅଫିସରେ ମଧ୍ୟ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ, ସିସିଟିଭିଟିରେ ନାଇଟ ଭିଜନ ସୁବିଧା ମଧ୍ୟ ରହିବ।

ତଦନ୍ତକାରୀ ଅଧିକାରୀଙ୍କ ହେପାଜତରେ ଦିନକୁ ଦିନ ଅଭିଯୁକ୍ତଙ୍କ ଉପରେ ନିର୍ଯାତନା ବଢ଼ୁଥିବାରୁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନେ ମଧ୍ୟ ସେମାନଙ୍କ ଅଧୀନରେ ଥିବା ପୁଲିସ ଷ୍ଟେସନରେ ସିସିଟିଭି ଓ ଅଡିଓ ରେକର୍ଡର ବ୍ୟବସ୍ଥା କରିବେ।

ସମସ୍ତ ପୋଲିସ୍‌ ଷ୍ଟେସନରେ ସିସିଟିଭି କ୍ୟାମେରା ଏମିତି ସ୍ଥାନରେ ଖଞ୍ଜା ଯିବ ଯେମିତି ଏଥିରେ ହାଜତ ଠାରୁ ଆରମ୍ଭ କରି ପ୍ରବେଶ ଓ ପ୍ରସ୍ଥାନ ପଥ, ମୁଖ୍ୟ ଗେଟ୍‌, ଲକ୍ ଅପ୍, କରିଡର୍‌, ଲକ୍‌ ଅପ୍‌ ରୁମ୍‌ ବାହାରେ, lobby ଓ reception ଇତ୍ୟାଦି ଦୃଶ୍ୟମାନ ହେଉଥିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମାନବାଧିକାର ଉଲ୍ଲଂଘନ ହୋଇଛି କି ନାହିଁ ସେ ନେଇ ନିୟମିତ ବ୍ୟବଧାନରେ ଏକ ନିରପେକ୍ଷ ପ୍ୟାନେଲ ସିସିଟିଭି ଫୁଟେଜ ଓ ଅଡିଓ ରେକର୍ଡିଂ ଆଣି ଯାଞ୍ଚ କରିପାରିବେ। ସେହିପରି ଭିଡିଓ ଏବଂ ଅଡିଓ ରେକଡିଂ ଗୁଡିକ ପ୍ରମାଣ ପାଇଁ ୧୮ ମାସ ରଖାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ ଜଣାଇବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉ କି, ପଞ୍ଜାବରେ ଏକ ହାଜତ ମୃତ୍ୟୁ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

 

Comments are closed.