Odisha Link
Bridging the Missing Links in Odisha

ପ୍ରେମିକଙ୍କ ପତ୍ନୀଙ୍କୁ ଆକ୍ରମଣ, ନବବଧୂର ଚୁଟି କାଟି ଆଖିରେ ଲଗାଇଲେ ଫେବିକୁଇକ୍

ପାଟନା: ନିଜ ପ୍ରେମିକର ବିବାହକୁ ସହ୍ୟ କରିବା ଯେ କୌଣସି ଯୁବତୀ ପକ୍ଷେ ଅତ୍ୟନ୍ତ କଷ୍ଟକର। କିଏ ଦୁଃଖ ସହି ନ ପାରି ଜୀବନ ହାରି ଦିଏ ତ କିଏ ପ୍ରେମିକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ। କିନ୍ତୁ ବିହାରର ନାଳନ୍ଦାରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା।

ପ୍ରେମିକର ବିବାହକୁ ସହ୍ୟ ନ କରି ଯୁବତୀ ଜଣକ ପ୍ରେମିକଙ୍କ ପତ୍ନୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି। ପ୍ରେମିକଙ୍କ ବିବାହ ହୋଇ ସାରିଥିବା ଖବର ପାଇ ପ୍ରେମିକା ତାଙ୍କ ଘରେ ପହଞ୍ଚି ପ୍ରେମିକଙ୍କ ପତ୍ନୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ଆଖିରେ ଫେବିକୁଇକ୍‌ ଲଗାଇ ଦେଇଥିଲେ। ଯୁବତୀଜଣକୁ ପୁଲିସ୍‌ ଗିରଫ କରିଥିବା ବେଳେ ନବବଧୂଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ସୂଚନା ମୁତାବକ, ଦୀର୍ଘ ଦିନ ଧରି ସମ୍ପୃକ୍ତ ଯୁବତୀଙ୍କର ଉକ୍ତ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଚାଲିଥିଲା। କିନ୍ତୁ ଗତ ଡିସେମ୍ବର ୧ ତାରିଖରେ ଯୁବକଜଣକ ଅନ୍ୟତ୍ର ବିବାହ କରିଥିଲେ। ଏହି ଖବର ପାଇବା ପରେ ପ୍ରେମିକଙ୍କ ଘରେ ଲୁଚି ଲୁଚି ପଶିଥିଲେ ପ୍ରେମିକା। ଶୋଇଥିବା ନବବଧୂଙ୍କୁ ଦେଖି ତାଙ୍କ ପରେ ରାଗ ଶୁଝାଇବାକୁ ଚେଷ୍ଟା କରିଥିଲେ।

ପ୍ରଥମେ ଯୁବତୀ ଜଣକ ତାଙ୍କ ଚୁଟି କାଟି ଦେଇଥିଲେ। ଏହାପରେ ତାଙ୍କ ଆଖିରେ ଫେବିକୁଇକ ଲଗାଇ ଦେଇଥିଲେ। ନବବଧୂଜଣକ କିଛି ଦେଖି ନ ପାରି ଚିତ୍କାର କରିବାରୁ ଯୁବତୀଜଣକ ତାଙ୍କୁ ନିର୍ଧୂମ ପିଟିଥିଲେ। ଏହାପରେ ପରିବାର ଲୋକେ ପହଞ୍ଚି ଯୁବତୀଙ୍କୁ କାବୁ କରି ପୁଲିସ୍‌ରେ ଜିମା ଦେଇଥିଲେ। ନବବଧୂଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାଯାଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେବାରୁ ପୁଲିସ୍‌ ମୁତୟନ ହୋଇଥିବା ଜଣାଯାଇଛି।

Comments are closed.