ବଦଳିଲା ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନିୟମ
ଭୁବନେଶ୍ୱର: ବଦଳିଲା ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନିୟମ। ଏଣିକି ପ୍ରତିବର୍ଷ ଡିସେମ୍ବର ମାସରେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବା ଲାଗି ରାଜ୍ୟ ସରକାର ପ୍ରଚଳିତ ଆଇନ୍ରେ ବିଧିବଦ୍ଧ ପରିବର୍ତ୍ତନ ଆଣିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେଉଁ ବର୍ଷ କେତୋଟି ପଦବି ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ ତାହାର ତାଲିକା ପ୍ରସ୍ତୁତି ପରେ ନଭେମ୍ବର ମାସରେ ବିଭାଗୀୟ ପଦୋନ୍ନତି କମିଟି ବସି ଯୋଗ୍ୟପ୍ରାର୍ଥୀ ଚୟନ କରିବେ ଏବଂ ତଦନୁଯାୟୀ ଡିସେମ୍ବର ମାସରେ ଏହି ପଦବି ସବୁ ପୂରଣ କରାଯିବ। ପୂର୍ବ ବ୍ୟବସ୍ଥା ଅନୁଯାୟୀ ପଦୋନ୍ନତି କମିଟି ବସିବା ପୂର୍ବରୁ ଯେଉଁମାନଙ୍କ ନାମ ବିଚାରକୁ ନିଆଯିବା କଥା ସେମାନଙ୍କର ଗୁପ୍ତ ଚରିତ୍ର ପଞ୍ଜିକା, କାହା ନାମରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ଫୌଜଦାରୀ ମାମଲା ଆଦି ଅଛି କି ନାହିଁ ଏବଂ ସେମାନଙ୍କ “ପାର୍’ ଆଦିକୁ ବିଚାରକୁ ନିଆଯାଇଥାଏ।
କ୍ଷେତ୍ର ଦପ୍ତରଗୁଡ଼ିକରୁ ଏ ସମସ୍ତ ବିବରଣୀ ସଂଗ୍ରହ ପାଇଁ ସମୟ ଲାଗିଥାଏ। ବିଳମ୍ବ ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ସଂଶୋଧିତ ଆଇନ୍ରେ କ୍ଷେତ୍ର ଅଧିକାରୀମାନେ ଏହା ଏଣିକି ଅନ୍ଲାଇନ୍ରେ ପଠାଇବେ। ଫଳରେ ଠିକଣା ସମୟରେ ଚରିତ୍ର ପଞ୍ଜିକା ଓ ଅନ୍ୟାନ୍ୟ ବିବରଣୀ ପହଞ୍ଚୁ ନଥିବାରୁ ପଦୋନ୍ନତିରୁ ବଞ୍ଚିତ ହେଉଥିବା କର୍ମଚାରୀମାନେ ଏଣିକି ସହଜରେ ପଦୋନ୍ନତି ପାଇପାରିବେ। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ପଦୋନ୍ନତି ସମୟରେ କର୍ମଚାରୀଙ୍କ ୬୦ ମାସିଆ ଓ ୩୬ ମାସିଆ ଚରିତ୍ର ପଞ୍ଜିକାର ମୂଲ୍ୟାୟନ ରଖାଯାଇଛି।
Comments are closed.