Odisha Link
Bridging the Missing Links in Odisha

ରାଜ୍ୟରେ ଶୀତ ଲହରୀ, ସୋନପୁରରେ ତାପମାତ୍ରା ୮.୮ଂ

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା। ତଳମୁହାଁ ହେଉଛି ପାରଦ ଫଳରେ ଶୀତ ପ୍ରକୋପ ବଢିବାରେ ଲାଗିଛି। ରାଜ୍ୟରେ ୪ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି କୁହୁଡ଼ିର ପରିମାଣ ବଢିଛି। ଗତ ୨୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଏଥିସହ ଦକ୍ଷିଣ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରେକର୍ଡ ହୋଇଛି।

ମଙ୍ଗଳବାର ରାତିରେ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଝାରସୁଗୁଡ଼ା ୧୨.୯, ସୁନ୍ଦରଗଡ଼ ୧୩, ବଲାଙ୍ଗିର ୧୪, ବୌଦ୍ଧ ୧୪, କଟକ ୧୪.୨, ଟିଟିଲାଗଡ଼ ୧୪.୫, ସମ୍ବଲପୁର ୧୪.୬, ଚାନ୍ଦବାଲି ୧୪.୬, ଭୁବନେଶ୍ୱର ୧୫ ଡିଗ୍ରୀ, ଫୁଲବାଣୀ ୯ ଡିଗ୍ରୀ, ଅନୁଗୁଳ ୧୦, ଦାରିଙ୍ଗିବାଡ଼ି ୧୦.୫, ଭବାନୀପାଟଣା ୧୧.୫, କେନ୍ଦୁଝର ୧୨.୨, ତାଳଚେର ୧୨.୩, ବାରିପଦା ୧୨.୫, କୋରାପୁଟ ୧୨.୬ ଡିଗ୍ରୀ ସେଲସିୟସ୍‌ ଥିଲା।

ପାଣିପାଗ ବିଭାଗର ସୂଚନାନୁସାରେ, ଏବେ ପାଗ ଶୁଖିଲା ରହିଛି। ଦୁଇଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ସମ୍ଭାବନା ଅଛି। ଶୀତ ପ୍ରକୋପରେ କୌଣସି ପରିବର୍ତ୍ତନ ହେବ ନାହିଁ। କଳାହାଣ୍ଡି, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି।

ଗୁରୁବାର ରାତି ଓ ଶୁକ୍ରବାର ସକାଳେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଘେରିପାରେ। ଏଥିଯୋଗୁ ସକାଳ ସମୟରେ ଯାତାୟାତ କରୁଥିବା ଗାଡ଼ି ଚାଳକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ପରବର୍ତ୍ତୀ ୩ ଦିନ ଯାଏଁ ଆଉ କୁହୁଡ଼ି ସମ୍ଭାବନା ନଥିବା ପାଣିପାଗ ବିଭାଗ ଅନୁମାନ କରୁଛି।

 

Comments are closed.