Odisha Link
Bridging the Missing Links in Odisha

ଫେରିଲା ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ

ଭୁବନେଶ୍ୱର: ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ। ଗତ ୨୭ ତାରିଖ ଦିନ ନାଗାର୍ଜୁନ ବେଶ ଓଲାଗି ପରେ ୨୮ତାରିଖରେ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଅଣାଯାଇଥିଲା। କାହିଁକି ଆଉ କିଏ ଆଣିଥିଲା ସେନେଇ ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ। ତେବେ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ପଠାଯାଇଥିବା ସୂଚନା ମିଳିଛି।

ଏନେଇ କୌଣସି ନିୟମ ବହିର୍ଭୂତ କାର୍ଯ୍ୟ କରାଯାଇନଥିବା ବେଳେ ଏକ ନିର୍ଦ୍ଦିଷ୍ଠ ଗଣମାଧ୍ୟମ ଏ ଘଟଣାକୁ ଅତିରଞ୍ଜିତ କରି ଉପସ୍ଥାପନ କରିଥିଲା। ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର। ଏବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିରକୁ ଫେରିଛି।

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଓଲାଗି ପରେ ଏହାକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ମାତ୍ର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ-ଚନ୍ଦ୍ରକୁ ସଂଗ୍ରହାଳୟକୁ ନିଆ ନଯାଇ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନିଆଯାଇଥିଲା। ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନାଗାର୍ଜୁନ ବେଶରେ ବ୍ୟବହୃତ ସୂର୍ଯ୍ୟ-ଚନ୍ଦ୍ର ନେଉଥିବାର ଦେଖିବାକୁ ମିଳିଥିଲା।

ପୂର୍ବରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଓଲାଗି ପରେ ଏହାକୁ ସଂରକ୍ଷିତ କରି ରଖାଯିବା ନେଇ ଛତିଶା ନିଯୋଗ ଓ ପରେ ପରିଚାଳନ କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଅବଢା ଯୋଜନାରେ ନିର୍ମାଣ ହେବା ପାଇଁ ଥିବା ସଂଗ୍ରହାଳୟରେ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Comments are closed.