Odisha Link
Bridging the Missing Links in Odisha

ରାଜ୍ୟରେ ନାହିଁ କରୋନାର ଦ୍ୱିତୀୟ ଲହରି ଆଶଙ୍କା

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଅନ୍ୟପଟେ ଶୀତ କାରଣରୁ ଦେଶରେ ଅନେକ ରାଜ୍ୟରେ କରୋନା ସଂକ୍ରମଣ ପୁନଃ ବ୍ୟାପିବାରେ ଲାଗିଛି। ହେଲେ ଏହାରି ମଧ୍ୟରେ ଓଡ଼ିଶା ପାଇଁ ଆସିଛି ଆସିଛି ଆଶ୍ଵସ୍ତିକର ଖବର। ରାଜ୍ୟରେ ଏବେ ଦ୍ଵିତୀୟ ସଂକ୍ରମଣର ଆଶଙ୍କା ନାହିଁ। ଓଡ଼ିଶାରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି।

କିନ୍ତୁ ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହି ନିୟମ ମାନିବାକୁ ପଡିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା। ଏସସିବି ମେଡିକାଲ କଲେଜ୍ ଓ୍ଵେବ୍‌ସାଇଟ୍‌ ଉନ୍ମୋଚନ ଅବସରରେ ସେ ଏହି ମତ ଦେଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟରେ କରୋନାର ଦ୍ଵିତୀୟ ଲହରର ସମ୍ଭାବନା ନାହିଁ। କରୋନା ଗ୍ରାଫ ଢେର ହ୍ରାସ ପାଇଛି। ତଥାପି ଟିକା ନଆସିବା ଯାଏଁ ଆମକୁ ସତର୍କ ରହିବାକୁ ପଡିବ। ଅନ୍ତତଃ ଫେବୃଆରୀ ପର୍ଯ୍ୟନ୍ତ ସତର୍କ ରହି ନିୟମ ମାନିବାକୁ ପଡିବ ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ସଂପ୍ରତି କରୋନା ସଂକ୍ରମଣର ପ୍ରଭାବ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୫୦୦ରୁ କମ ରହୁଛି। ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗିଛି। ଗତ ଦୁଇ ମାସରୁ ଅଧିକ ସମୟ ହେବ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ଦିଲ୍ଲୀ, ମହାରାଷ୍ଟ୍ର ଓ କେରଳରେ ଯେମିତି କରୋନାର ଦ୍ଵିତୀୟ ଲହର ଦେଖିବାକୁ ମିଳିଥିଲା ସେଥି ନେଇ ରାଜ୍ୟରେ ମଧ୍ୟ ଆଶଙ୍କା ପ୍ରକାଶ କରାଯାଇଥିଲା। ଦ୍ଵିତୀୟ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।

Comments are closed.