Odisha Link
Bridging the Missing Links in Odisha

‘ପରୀ’ ମୃତ୍ୟୁ ମାମଲା: ୨ ସପ୍ତାହ ସମୟ ମାଗିଲେ ବୋଥ୍ରା

ଭୁବନେଶ୍ବର: ‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ କରୁଛି ଏସଆଇଟି। ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା। ଏହାରି ଭିତରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜର ପ୍ରତିକ୍ରିୟା ରଖିଛନ୍ତି।

ଅରୁଣ ବୋଥ୍ରା ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏସ୍‌ଆଇଟି ଗଠନକୁ ମାତ୍ର ୪ରୁ ୫ ଦିନ ହୋଇଛି। ଆମକୁ ୨ ସପ୍ତାହ ତ ସମୟ ଦିଅନ୍ତୁ। ମୋ ଉପରେ ସମସ୍ତଙ୍କ ଭରସା ଅଛି। ଡିଜି ମୋତେ ଦାୟିତ୍ବ ଦେଇଛନ୍ତି। ଆମ ଟିମ୍ ଆଗକୁ ବଢୁଛି। ଆମେ କଠିନ ପରିଶ୍ରମ କରୁଛୁ ଓ ଆମ ଦାୟିତ୍ୱ ନେଇ ସଚେତନ ଅଛୁ ବୋଲି ଅରୁଣ ବୋଥ୍ରା କହିଛନ୍ତି।

ଅନ୍ୟପଟେ ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ଲକ୍ଷେ ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗ୍ରାମବାସୀଙ୍କ ସହ ବୈଠକ କରିବା ପରେ ଏହି ଅର୍ଥ ରାଶି ଘୋଷଣା କରିଛନ୍ତି। ଏ ନେଇ ଯଦୁପୁର ଗାଁ ସଭାପତି ଜୟକୃଷ୍ଣ ପରିଡା ସୂଚନା ଦେଇଛନ୍ତି।

ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ଜଣିଆ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି। ଟିମ୍‌ରେ କ୍ରାଇମବ୍ରାଞ୍ଜ ଏସପି ଆର. କେ ଦୋରା, ଅତିରିକ୍ତ ଏସପି ଆର.ସି ଥମ୍ବଙ୍କ ସହ କ୍ରାଇମବ୍ରାଞ୍ଜ ଇନ୍ସପେକ୍ଟର ନରେନ୍ଦ୍ର ବେହେରା, ମମତା ପଣ୍ଡା ସଦସ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ନୟାଗଡର ୬ବର୍ଷର ଶିଶୁ କନ୍ୟା ପରୀର ମୃତ୍ୟୁକୁ ନେଇ ଜୁଲାଇ ୧୭ରେ ଥାନାରେ ମାମଲା ରୁଜୁ କରିଥିଲା ପୋଲିସ। ଜୁଲାଇ ୨୩ରେ ଗଳିତ ଶବ ମିଳିଥିବା ପରେ ପୋଷ୍ଟମର୍ଟମ କରାଯାଇଥିଲା। ଶବ ନଷ୍ଟ ହୋଇଯାଇଥିବାରୁ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡିନଥିଲା।

Comments are closed.