Odisha Link
Bridging the Missing Links in Odisha

ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜ୍‌ ହାତେଇଲା ଭାରତ

ସିଡନୀ: ସିଡନୀରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍ ହାତେଇ ନେଇଛି ଭାରତ। ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଦଳ ୨-୦ରେ ଆଗୁଆ ରହିଛି।

ପ୍ରଥମେ ବ୍ୟାଟିଂ କରି ମାଥ୍ୟୁ ଓ୍ଵାଦେଙ୍କ ୫୮ ରନ ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ୪୬ ରନ ଇନିଂସ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୯୪ ରନ କରିଥିଲା। ଜବାବରେ ଶିଖର ଧାଓ୍ଵନଙ୍କ ୫୨ ରନ, ବିରାଟ କୋହଲିଙ୍କ ୪୦ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଅପରାଜିତ ୪୨ ରନ ଇନିଂସ ବଳରେ ଭାରତ ୨ଟି ବଳକା ଥାଇ ୬ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି। ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏହି ବିଜୟ ସହିତ ଭାରତ କ୍ରମାଗତ ୧୦ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି। ଆସନ୍ତା ୮ ତାରିଖରେ ସିଡନୀର ଶୃଙ୍ଖଳାର ଅନ୍ତିମ ମୁକାବିଲା ଖେଳାଯିବ।

୧୯୫ ରନର ବିଶାଳ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଦୁଇ ଓପନର ଲୋକେଶ ରାହୁଲ ଓ ଶିଖର ଧାଓ୍ଵନ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ୫.୨ ଓଭରରେ ୫୬ ରନ ଯୋଡି ବିଜୟର ମୂଳଦୁଆ ପକାଇଥିଲେ। ହେଲେ ଏହି ସ୍କୋରରେ କେଏଲ ରାହୁଲ ୨୨ ବଲରୁ ୨ ଚୌକା ଓ ୧ ଛକା ସହ ୩୦ ରନରେ ଆଉଟ୍ ହୋଇଥିଲେ।

ଶିଖର ଧାଓ୍ଵନ ଦମଦାର ବ୍ୟାଟିଂ କରି ଟି-୨୦ ଅନ୍ତରାଷ୍ଟ୍ରୀୟରେ ୧୦ମ ଅର୍ଦ୍ଧଶତକ ହାସଲ କରିଥିଲେ। ଧାଓ୍ଵନ ଓ କୋହଲି ଦ୍ଵିତୀୟ ଓ୍ଵିକେଟ୍‌ରେ ୩୯ ରନ ଯୋଡିଥିଲେ। ୯୬ ରନ ସ୍କୋରରେ ଶିଖର ଧାଓ୍ଵନ ଆଉଟ୍ ହୋଇଥିଲେ। ସେ ୩୬ ବଲରୁ ୪ ଚୌକା ଓ ୨ ଛକା ସହ ୫୨ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ସଞ୍ଜୁ ସାମସନ ଦ୍ରୁତ ବ୍ୟାଟିଂ କରି ୧୫ ରନ କରି ପାଭିଲିୟନ ଫେରିଥିଲେ।

ଅଧିନାୟକ ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ଆବଶ୍ୟକ ରନ ସଂଗ୍ରହ କରି ଚାଲିଥିଲେ। କୋହଲି ୨୪ ବଲରୁ ୨ ଚୌକା ଓ ୨ ଛକା ସହ ୪୦ ରନର ଦ୍ରୁତ ଇନିଂସ ଖେଳିଥିଲେ। ୧୪୯ ରନରେ ୪ ଓ୍ଵିକେଟ୍ ହରାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶ୍ରେୟସ ଆୟରଙ୍କ ଉପରେ ଦଳର ବିଜୟ ନିର୍ଭରଶୀଳ ଥିଲା। ଶେଷ ଚାରି ଓଭରରେ ଓଭର ପିଛା ୧୨ ରନ ଆବଶ୍ୟକ ଥିଲା। କ୍ରିଜ୍‌କୁ ଆସିବା ମାତ୍ରେ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ।

ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୨ ବଲରୁ ୩ ଚୌକା ଓ ୨ ଛକା ସହ ୪୨ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୯୫ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆୟର ୫ ବଲରୁ ୧୨ ରନ କରି ଅପରାଜିତ ଥିଲେ।

Comments are closed.