କରୋନା ଟିକା ପାଇଁ ଦେଶବାସୀଙ୍କୁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଗ୍ରା ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀଙ୍କୁ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକା ପାଇଁ ଦେଶବାସୀଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବ ଶୀଘ୍ର ଦେଶବାସୀ କରୋନା ଟିକା ନେବେ।
ଆଗ୍ରା ମେଟ୍ରୋ ପ୍ରକଳ୍ପର ଉଦଘାଟନ କରିବା ପରେ ଭାଷଣ ଦେଇଥିଲେ ପ୍ରଧାନମନ୍ତ୍ରୀ। ଦେଶରେ ଚାଲୁଥିବା ଅନେକ ବିକାଶମୂଳକ କାମ ଉପରେ ଆଲୋକପାତ କରିବା ସହ ଶେଷରେ ସେ କରୋନା ଟିକା ବିଷୟରେ ଜଣାଇଥିଲେ।
“ମୁଁ ପରୀକ୍ଷଣ ପର୍ଯ୍ୟାୟରେ ଥିବା କରୋନା ଟିକାର ବୈଜ୍ଞାନିକମାନଙ୍କୁ ଭେଟିସାରିଛି। ସେମାନଙ୍କୁ ଭେଟିବା ପରେ କରୋନା ଟିକା ପାଇଁ ଦେଶବାସୀଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ମୁଁ ଅନୁଭବ କରୁଛି। କିନ୍ତୁ ସେ ପର୍ଯ୍ୟନ୍ତ ଆମକୁ ସଚେତନ ରହିବାକୁ ହେବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ହେବ” ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।