Odisha Link
Bridging the Missing Links in Odisha

ମାଧବାନନ୍ଦ ଜୀଉ ମନ୍ଦିରରୁ ଶ୍ରୀମନ୍ଦିର ଯାଉଛି ପୋଢୁଆଁ ଭାର

ନିଆଳି: ଆସନ୍ତା କାଲି ପ୍ରଥମାଷ୍ଟମୀ। ଘରେ ଘରେ ପିଠା ପଣା ଖାଇ ନୂଆ ବସ୍ତ୍ର ପିନ୍ଧି ପୋଢ଼ୁଆଁ ହେବେ ଘରର ବଡ଼ ପୁଅ ଓ ଝିଅ। ଓଡ଼ିଶାର ଜଗନ୍ନାଥ ସଂସ୍କୃତିରେ ଓଡ଼ିଆଣୀର ଘରେ କାହିଁ କେଉଁ ପୁରୁଣା କାଳରୁ ଚାଲି ଆସୁଛି ଏହି ପୋଢ଼ୁଆଁ ପ୍ରଥା।

ଏହି ଅବସରରେ ପଢ଼ୁଆଁ ହେବେ ଜଗତର ନାଥ ବଡ଼ଠାକୁର ଜଗନ୍ନାଥ। କିମ୍ବଦନ୍ତୀ ରହିଛି ନିଆଳି ମାଧବ ହେଉଛି ଜଗନ୍ନାଥଙ୍କ ମାମୁ ଘର। ବହୁବର୍ଷ ପୂର୍ବରୁ ଏଠାରୁ ପୁରୀ ଜଗନ୍ନାଥ ନିକଟକୁ ପ୍ରତିବର୍ଷ ପ୍ରଥମାଷ୍ଟମୀରେ ଯାଉଥିଲା ପୋଢ଼ୁଆଁ ଭାର।

ମାତ୍ର କୌଣସି କାରଣରୁ ଦୀର୍ଘ ବର୍ଷ ଧରି ବନ୍ଦ ହୋଇଯାଇଥିଲା ଏହି ପ୍ରଥା । ମାତ୍ର ଗତବର୍ଷ ପ୍ରଥମାଷ୍ଟମୀଠାରୁ ଆରମ୍ଭ ହୋଇଛି ବଡ଼ ଠାକୁରଙ୍କୁ ପୋଢ଼ୁଆଁ କରିବା ବ୍ୟବସ୍ଥା। ଆସନ୍ତାକାଲି ପ୍ରଥମାଷ୍ଟମୀ ହୋଇଥିବାରୁ ରୀତିନୀତି ଅନୁଯାୟୀ ମାଧବ ମନ୍ଦିରରୁ ପୁରୀ ଶ୍ରୀ ମନ୍ଦିରକୁ ବାହାରିଛି ପୋଢ଼ୁଆଁ ଭାର।

ଆୟୋଜକ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଦେଖାଦେଇଛି ଅଦ୍ଭୁତପୂର୍ବ ଉତ୍ସାହ। ପିଠାପଣାଠାରୁ ଆରମ୍ଭ କରି ପାଟ ଖଣ୍ଡୁଆ ନବ ବସ୍ତ୍ର ସବୁ ଖଞ୍ଜା ଯାଇ ଶ୍ରୀମନ୍ଦିର ଅଭିମୁଖେ ଭାର ବାହାରିଛି। ଏହି ପ୍ରଥା ଆଗକୁ ଜାରି ରହିବ ବୋଲି କହିଛନ୍ତି ଆୟୋଜକ ଓ ଶ୍ରଦ୍ଧାଳୁ। ପୁରୀ ପ୍ରଶାସନ ମଧ୍ୟ ଭାର ଗ୍ରହଣ କରବାକୁ ପ୍ରସ୍ତୁତି କରିଛନ୍ତି।

Comments are closed.