Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ବିଜେପିର ଧାରଣାକୁ ନିରଞ୍ଜନଙ୍କ ସମାଲୋଚନା

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗରେ ବିଜେପିର ଧାରଣାକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପିପିଲିଠୁ କୁନ୍ଦୁଲି ଯାଏଁ ମାମଲାରେ ବିଜେପି ଏମିତି ପ୍ରତିବାଦ କରିଥିଲା କି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ରାଜ୍ୟରେ ବିଜେପି ଓ ବିଜେଡି ସମ୍ପର୍କ ମଧୂର, ସେମାନେ ଏକ। ୧୯ଟି ସିବିଆଇ କେସ ଓଡ଼ିଶାରେ ପଡ଼ିରହିଛି, କେତେଟାର ରେଜଲ୍ଟ ଆସିଛି ବୋଲି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ପରୀ ପ୍ରସଙ୍ଗରେ ରାଜଭବନ ସମ୍ମୁଖରେ ବିଜେପି ଧାରଣା ପରିପ୍ରେକ୍ଷୀରେ ବିଜେଡି ଉପସଭାପତି ଦେବୀ ମିଶ୍ର ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ଏହି ମାମଲାର ଏସଆଇଟି ତଦନ୍ତ ଚାଲିଛି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ତଦନ୍ତ ପାଇଁ ୨ ସପ୍ତାହ ମାଗିଛନ୍ତି। ପ୍ରତିବାଦ ନକରି ପ୍ରକୃତ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ। ଏହା ସମ୍ବେଦନଶୀଳ ଘଟଣା। ସମସ୍ତେ ଚାହୁଁଛନ୍ତି ପରୀକୁ ନ୍ୟାୟ ମିଳୁ। ଘଟଣାକୁ ବେଶୀ ରାଜନୀତିକରଣ କରାନଯାଉ ବୋଲି ଦେବୀ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ନୟାଗଡ଼ ପରୀ ହତ୍ୟା ମାମଲାରେ ବିଜେପି ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯାଇଛି। ସୋମବାର ରାଜଭବନ ଆଗରେ ବିଜେପି ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି। ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଏହି ଧାରଣା ଦେଇଛି ବିଜେପି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବିଜେପି ପକ୍ଷରୁ ଘୋଷଣା କରାଯାଇଛି।

Comments are closed.