ଶ୍ୱଶୁରର ଗଳାକାଟି ହତ୍ୟା କଲା ଜ୍ୱାଇଁ

ବାରିପଦା:ଶ୍ଵଶୁରଙ୍କ ଗୋଡ଼ ହାତ ବାନ୍ଧି ବେକ କାଟି ନୃଶଂସ ହତ୍ୟା କଲା ଜ୍ୱାଇଁ। ଏହି ଅଭାବନୀୟ ଅଘଟଣାଟି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟା ପୁର ଗାଁରେ ଘଟିଛି। ମୃତଙ୍କ ଜଣକ ହେଲେ ରମେଶ ସିଂ।
ସୂଚନା ଅନୁସାରେ, ଆଜି ଖିରିପଦା ଗାଁର ରମେଶ ସିଂ ତାଙ୍କ ୬ ବର୍ଷର ନାତିକୁ ପଢୁଆଁ କରିବା ପାଇଁ ଖୁଣ୍ଟା ପୁର ଗାଁକୁ ଯାଇଥିଲେ। ତେବେ ପୃର୍ବରୁ ବିବାଦ ଉପୁଜି ଝିଅ ବାପଘରେ ରହୁ ଥିବା ଯୋଗୁଁ ଶ୍ଵଶୁର ଏବଂ ଜ୍ୱାଇଁଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।
ତେବେ ପୂର୍ବ ଘଟଣାକୁ କେନ୍ଦ୍ର କରି ଆଜି ଉଭୟ ଶ୍ଵଶୁର- ଜ୍ୱାଇଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ପରିସ୍ଥିତି ଚରମସୀମାରେ ପହଞ୍ଚି ଥିଲା। ଆଉ ଶ୍ଵଶୁର ରମେଶଙ୍କ ଗୋଡ ହାତ ବାନ୍ଧି ତାଙ୍କ ବେକକୁ ଦାରେ କାଟି ହତ୍ୟା କରାଯାଇଛି। ଅତ୍ୟଧିକ ରକ୍ତ ସ୍ରାବ ହେବାରୁ ଘଟଣାସ୍ଥଳରେ ଶ୍ଵଶୁରଙ୍କ ମୃତ୍ୟୁ ହୋଇଛି।
ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ଅଭିଯୁକ୍ତ ଜ୍ୱାଇଁ ରାଜୁ ସିଂ ଏବଂ ତା ଭାଇ ଲବ ସିଂ ଘରୁ ଫେରାର ହୋଇଯାଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।