Odisha Link
Bridging the Missing Links in Odisha

ଭାରତ ବନ୍ଦ: ବିନା ହେଲମେଟ ଆନ୍ଦୋଳନକାରୀଙ୍କ ଘରକୁ ଯିବ ଇ-ଚାଲାଣ

ଭୁବନେଶ୍ବର: ଆଜି କୃଷକ ମାନଙ୍କ ଡ଼ାକରାରେ ଭାରତ ବନ୍ଦ ପାଳନ କରାଯାଉଛିି। ଏନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏହି ବନ୍ଦକୁ କୃଷକ ସଂଗଠନ ମାନଙ୍କ ବ୍ୟତିତ ବିଭିନ୍ନ ରାଜନୈତିକ ଦଳ ବି ସମର୍ଥନ ଜଣାଇଛନ୍ତି।

ବନ୍ଦକୁ ଆଖି ଆଗରେ ରଖି ସକାଳୁ ଆରମ୍ଭ ହୋଇଥିଲା ପିକେଟିଂ। କିଛି କିଛି ସଂଗଠନ ପାଦରେ ଚାଲି ଚାଲି ଦୋକାନ ବଜାର, ପେଟ୍ରୋଲ ପମ୍ପ ଓ ରେଳ ରୋକ କରୁଥିବା ବେଳେ କିଛି ସଂଗଠନ ମୋଟର ସାଇକେଲରେ ରାଲି କରି ପ୍ରତିବାଦ ଜଣାଇଛନ୍ତି।

ହେଲେ ଏହି ମୋଟରସାଇକେଲ ରାଲିରେ ଯୋଗ ଦେଇଥିବା ଲୋକମାନଙ୍କ ମଧ୍ୟରୁ କିଛି ଲୋକ ବିନା ହେଲାମେଟ୍ ରେ ଗାଡ଼ି ଚଳାଉଥିବା ସିସିଟିଭିରେ କଏଦ ହୋଇଛି। ଏହି ସିସିଟିଭି ଆଧାରରେ ବିନା ହେଲମେଟ୍ ରେ ବାଇକ ରାଲି କରୁଥିବା ଚାଳକ ମାନଙ୍କୁ ଏବେ ମହଙ୍ଗା ପଡିବ।

ବିନା ହେଲମେଟ୍ ରେ ବାଇକରେ ବୁଲି ବନ୍ଦ ପାଳନ କରୁଥିବା ଲୋକମାନଙ୍କୁ ସିସିଟିଭି ଆଧାରରେ ଚିହ୍ନଟ କରି ସେମାନଙ୍କ ଘରକୁ ଇ- ଚାଲାଣ ପଠାଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ବିନା ହେଲମେଟରେ ପିକେଟିଂ କରୁଥିବା ଯୁବକ ମାନଙ୍କ ମଧ୍ୟରୁ ୧ ଶହ ଜଣଙ୍କୁ ଅଟକ ରଖିଛି ପୋଲିସ।

ପ୍ରକାଶ ଯେ, ଏହା ପୂର୍ବରୁ ଏକ ବିଜେଡି ରାଲିରେ ବି ଏଭଳି ହୋଇଥିଲା। ଯାହାକୁ ଗଣମାଧ୍ୟମରେ ପ୍ରକାଶ କରାଯିବା ପରେ ବିନା ହେଲମେଟରେ ରାଲିରେ ଯୋଗ ଦେଇଥିବା ବାଇକ୍ ଚାଳକ ମାନଙ୍କ ଉପରେ ଜରିମାନା ଲଗାଯାଇଥିଲା। ତେଣୁ ଆଜିର ବନ୍ଦ ପାଳନ ବେଳେ ବିନା ହେଲମେଟରେ ବାଇକ୍ ରାଲି କରୁଥିବା ଯୁବକ ମାନଙ୍କୁ ବି ଜରିମାନା ହେବ ବୋଲି ସୂଚନା ମିଳିଛି ।

କହିରଖୁ କି ସେ ଆନ୍ଦୋଳନ ହେଉ କି ଅଲଗା ସମୟ। ଘରୁ ବାଇକ ଧରି ବାହାରିଲେ ନିଜ ଜୀବନର ସୁରକ୍ଷା ପାଇଁ ପ୍ରଥମେ ହେଲମେଟ୍ ପିନ୍ଧନ୍ତୁ ଓ ନିଜେ ସୁରକ୍ଷିତ ରହିବ ସହ ଅନ୍ୟମାନଙ୍କର ସୁରକ୍ଷାକୁ ବି ସୁନିଶ୍ଚିନ୍ତ କରନ୍ତୁ।

Comments are closed.