ଆସନ୍ତା ବର୍ଷରୁ ସ୍କୁଲରେ ମଧ୍ୟାହ୍ନଭୋଜନ ସହ ମିଳିବ ଜଳଖିଆ

ଭୁବନେଶ୍ୱର: ଏଣିକି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦୁଇ ଓଳି ଖାଇବାକୁ ଦିଆଯିବ। ଆସନ୍ତା ଶିକ୍ଷାବର୍ଷ (୨୦୨୧-୨୨)ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ଏନେଇ ପ୍ରସ୍ତାବ ରହିଛି। ଜାତୀୟ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଅନୁମୋଦନ ମିଳିସାରିଛି।
ବିଦ୍ୟାଳୟରେ କିଭଳି ଜଳଖିଆ ଦିଆଯିବ ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି। କିଚେନ୍ ଗାର୍ଡେନ୍ରୁ ମିଳୁଥିବା ପରିବା ବିଦ୍ୟାର୍ଥୀଙ୍କ ଜଳିଖିଆ ପ୍ରସ୍ତୁତିରେ ସହାୟକ ହେବା ସହ ଛାତ୍ରଛାତ୍ରୀ ପୃଷ୍ଟି କର ଖାଦ୍ୟ ପାଇପାରିବେ। ତେଣୁ କିଚେନ୍ ଗାର୍ଡେନ୍ ପ୍ରକଳ୍ପକୁ ଅଧିକ କ୍ରିୟାଶୀଳ କରାଯାଉଛି। ନିୟମିତ ବ୍ୟବଧାନରେ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନେଇ କିଚେନ୍ ଗାର୍ଡେନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି।
ବିଦ୍ୟାଳୟ ଖୋଲିବା ପରେ ଏହାକୁ ଅଧିକ ତ୍ବରାନିତ କରିବାକୁ ସ୍ବତନ୍ତ୍ର ଯୋଜନା ରହିଛି। ଆସନ୍ତା ୧୬ ତାରିଖରେ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ବିଦ୍ୟାଳୟ ବୁଲି କାର୍ଯ୍ୟକ୍ରମର ସ୍ଥିତି ପରଖୁଥିବା ବେଳେ ବିଭାଗୀୟ ସଚିବ ଓ ମଧ୍ୟାହ୍ନଭୋଜନ ରାଜ୍ୟ ପ୍ରକଳ୍ପ ମୁଖ୍ୟ ଗଙ୍ଗାଧାର ସାହୁଙ୍କ ତତ୍ତ୍ବାବଧାନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି।