Odisha Link
Bridging the Missing Links in Odisha

୨ଜିରେ ଫସି ରହିଥିବା ୩୦ କୋଟି ଭାରତୀୟଙ୍କୁ ସ୍ମାର୍ଟଫୋନ୍‌କୁ ଆଣିବା ଲାଗି ସରକାର ନୀତି ଆଣନ୍ତୁ: ମୁକେଶ

ଭୁବନେଶ୍ୱର: ଭର୍ଚୁଆଲ୍ ଇଣ୍ଡିଆନ ମୋବାଇଲ୍ କଂଗ୍ରେସ ୨୦୨୦କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଦେଶରେ ଏବେ ମଧ୍ୟ ୨ଜି ମୋବାଇଲ୍ ସେବାରେ ସଂକୁଚିତ ରହିଥିବା ୩୦ କୋଟି ମୋବାଇଲ୍‌ ଗ୍ରାହକଙ୍କ ସ୍ଥିତି ନେଇ ଚିନ୍ତାପ୍ରକଟ କରିଛନ୍ତି ।

ଭାରତର ଡିଜିଟାଲ୍ ଅର୍ଥ ବ୍ୟବସ୍ଥାର ଲାଭ ଯେଭଳି ଏହି ୩୦ କୋଟି ଲୋକଙ୍କ ପାଖରେ ପହଞ୍ଚିପାରିବ ସେଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

୨ଜି ଜ୍ଞାନକୌଶଳରୁ ୩୦ କୋଟି ଭାରତୀୟଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କୁୁ ସ୍ମାର୍ଟଫୋନ୍ ସହ ଯୋଡିବା ଲାଗି ନୀତି ଆଣିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

୨୦୨୧ ବର୍ଷର ଦ୍ୱିତୀୟ ଭାଗରେ ସ୍ୱଦେଶୀ ୫ଜି ପ୍ରଯୁକ୍ତି ଶୁଭାରମ୍ଭ କରିବାର ପ୍ରସ୍ତୁତି ବିଷୟରେ ମଧ୍ୟ ମୁକେଶ ଅମ୍ବାନି ସଙ୍କେତ ଦେଇଛନ୍ତି । ରିଲାଏନ୍ସ ଜିଓ ବିକଶିତ କରିଥିବା ୫ଜି ପ୍ରଯୁକ୍ତି ସମ୍ପୁର୍ଣ୍ଣ ସ୍ୱଦେଶୀ ବୋଲି ଅଭିହିତ କରି ଜିଓର ସ୍ୱଦେଶୀ ୫ଜି ପ୍ରଯୁକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ମିସନର ସଫଳତାର ପ୍ରମାଣ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ମିସନକୁ ପ୍ରଶଂସା କରି କୋଭିଡ୍ ସମୟରେ ତାହା ଦେଶର ଡିଜିଟାଲ୍ ଜୀବନରେଖା ପାଲଟିଥବା ସେ କହିଛନ୍ତି । ସରକାରଙ୍କ ବିଭିନ୍ନ ଉଦ୍ୟମର ପ୍ରଶଂସା କରି ମୁକେଶ ଅମ୍ବାନି କହିଛନ୍ତି ଯେ ଦେଶ ଖୁବଶୀଘ୍ର ସଫଟ୍‌ଓୟାର ସହିତ ହାର୍ଡଓୟାର କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହେବ।

ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଓ ସେଲ୍ୟୁଲାର ଅପରେଟର୍ସ ଅସୋସିଏସନ ଅଫ ଇଣ୍ଡିଆ (ସିଓଏଆଇ) ପକ୍ଷରୁ ଆଇଏମ୍‌ସି ୨୦୨୦କୁ ଆୟୋଜନ କରାଯାଇଛି । କରୋନା ମହାମାରୀ କାରଣରୁ ଏହି କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣକୁ ଚଳିତ ବର୍ଷ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମ ୮-୧୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୦ର ବିଷୟବସ୍ତୁ ହେଉଛି “ସମଗ୍ର ଅନ୍ୱେଷଣ-ସ୍ମାର୍ଟ, ସୁରକ୍ଷିତ ଓ ଦୀର୍ଘସ୍ଥାୟୀ’ । ଏହାର ଆୟୋଜନର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ, ଡିଜିଟାଲ୍ ସମାବେଶ ଏବଂ ନିରନ୍ତର ବିକାଶ, ଉଦ୍ୟମ ତଥା ଅନ୍ୱେଷଣକୁ ପ୍ରୋତ୍ସାହିତ କରିବା ।

ଏହି ଅବସରରେ କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଦୂରସଂଚାର ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଓ ଦୂରସଂଚାର ସଚିବ ଅଂଶୁ ପ୍ରକାଶ ଉପସ୍ଥିତ ଥିଲେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମେତ ଭାରତୀ ଗ୍ରୁପ୍‌ର ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି।

ଇଣ୍ଡିଆନ ମୋବାଇଲ୍ କଂଗ୍ରେସରେ ୩୦ରୁ ଅଧିକ ଦେଶର ୨୧୦ ରାଷ୍ଟ୍ରୀୟ ଏବଂ ଆନ୍ତର୍ଜାତିକ ବକ୍ତା ଏବଂ ୩୦୦୦ରୁ ଅଧିକ ପ୍ରତିନିଧି ଭାଗ ନେବାର ବ୍ୟବସ୍ଥା କରାଯାଇଛି। ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ଦୂରସଂଚାର କଂପାନିର ସିଇଓ, ପ୍ରଯୁକ୍ତି କ୍ଷେତ୍ର ସିଇଓ, ୫-ଜି ପ୍ରଯୁକ୍ତି ବିଶେଷଜ୍ଞ, ଆର୍ଟିଫିସିଆଲ ଇଟେଂଲିଜେନ୍ସ
(ଏଆଇ), ଇଟଂରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି), ଡାଟା ଆନାଲିସିସ୍‌, କ୍ଲାଉଡ୍ ଓ ଏଜ୍ କଂପ୍ୟୁଟିଂ, ବ୍ଲକ୍‌ଚେନ୍‌, ସାଇବର ନିରାପତ୍ତା ବିଶେଷଜ୍ଞମାନେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.