Odisha Link
Bridging the Missing Links in Odisha

ଆଜି ଭାରତ ବନ୍ଦ: ରାଜ୍ୟରେ ଚକ ଅଖ ବନ୍ଦ

ଭୁବନେଶ୍ୱର: ଆଜି ଭାରତ ବନ୍ଦ। କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଦେଶର ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଦେଶବ୍ୟାପୀ ଆନ୍ଦୋଳନ ଓ ବିକ୍ଷୋଭ କରିବେ ଚାଷୀ। ଏହି ସମୟରେ ଚକ ଅଖ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଆନ୍ଦୋଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଭାରତର ପ୍ରଭାବ ଦେଖିବାକୁ ମିଳିଛି। ରାଜ୍ୟର ଷ୍ଟେସନ୍ଗୁଡ଼ିକରେ ଆନ୍ଦୋଳନକାରୀମାନେ ରେଳ ରୋକ କରିଛନ୍ତି। ରାୟଗଡ଼ା ଗୁଣପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ଶ୍ରମିକ ସଂଗଠନ ଓ ବାମଦଳ ପକ୍ଷରୁ ରାସ୍ତା ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି।ରାଉରକେଲାରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ଯୋଗୁଁ ରାଉରକେଲାରେ ବସ୍ ଚଳାଚଳ ବନ୍ଦ ରହିଛି। ଗୁଣୁପୁର ଓଭରବ୍ରିଜ୍ ଉପରେ ସିପିଏମ୍ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ବି ଚକ, ଅଖ ବନ୍ଦ ରହିଛି। ଭୁବନେଶ୍ୱର ଷ୍ଟେସନରେ ବାମ ଦଳଗୁଡ଼ିକ ପକ୍ଷରୁ ରେଳରୋକ ସହ ନୂଆ କୃଷି ଆଇନ ବିରୋଧରେ ନାରାବାଜି କରାଯାଇଛି। ମାଷ୍ଟର କ୍ୟାଣ୍ଟିନ ଛକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରାଯାଇଛି। ଜୟଦେବ ବିହାର ଛକରେ ରାସ୍ତା ଅବରୋଧ ହୋଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏଠାରେ ଶତାଧିକ ଟ୍ରକ୍ ଅଟକି ରହିଛି।

ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦକୁ କଂଗ୍ରେସ, ଡିଏମ୍ କେ, ଏନ୍ ସିପି, ସମାଜବାଦୀ ପାର୍ଟି, ବାମଦଳ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆସାମ ଗଣ ପରିଷଦ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍ ଆଦ୍ ମି ପାର୍ଟି, ଶିବସେନା ପ୍ରମୁଖ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଛନ୍ତି। ଏହା ସହିତ ଆଇଏନ୍ ଟିୟୁସି, ଏଆଇଟିୟୁସି, ଏଚ୍ ଏମ୍ ଏସ୍ , ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି ଭଳି ଶ୍ରମିକ ସଂଗଠନବନ୍ଦକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି।

ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କୃଷକ ସଂଗଠନମାନେ ଅଟଳ ରହିଥିବା ବେଳେ ଆଇନରେ କେତେକ ସଂଶୋଧନ ପାଇଁ ସରକାର ରାଜି ହୋଇଛନ୍ତି। ମାତ୍ର ସରକାର ଓ କୃଷକ ନେତାଙ୍କ ମଧ୍ୟରେ ପାଞ୍ଚଥର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ପନ୍ଥା ବାହାରି ପାରିନାହିଁ। ଆସନ୍ତାକାଲି ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି।

Comments are closed.