Odisha Link
Bridging the Missing Links in Odisha

ଏହି ଷ୍ଟାର ଖେଳାଳିଙ୍କୁ ନିଜର ‘ମ୍ୟାନ୍‌ ଅଫ୍‌ ଦି ସିରିଜ’ ଦେଲେ ପାଣ୍ଡ୍ୟା

ସିଡନୀ: ଦିନିକିଆ ସିରିଜ ହାରିବା ପରେ ଟି-୨୦ ସିରିଜ ନିଜ ନାମରେ କରିଛି ଟିମ୍‌ ଇଣ୍ଡିଆ। ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ ପାଇଁ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। ଏହା ପରେ ପାଣ୍ଡ୍ୟା କହିଛନ୍ତି ଯେ, ଦ୍ରୁତ ବୋଲର ଟି ନଟରାଜନ ନିଜର ଦମଦାର ବୋଲିଂ ପାଇଁ ଏହି ପୁରaସ୍କାରର ଅସଲ ହକଦାର।

ସୂଚନାଥାଉକି, ତାମିଲନାଡୁର ୨୯ ବର୍ଷୀୟ ଦ୍ରୁତ ବୋଲର ନଟରାଜନ କାନବେରାରେ ତୃତୀୟ ଦିନିକିଆ ମ୍ୟାଚ୍‌ରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାପର୍ଣ କରିଥିଲେ। ସେ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ରୁ ୮ ଓ୍ଵିକେଟ୍ ନେଇଛନ୍ତି। ନଟରାଜନ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଯାକ ଟି-୨୦ରେ ୬ଟି ୱିକେଟ ନେଇଛନ୍ତି। ତାଙ୍କ ଇକୋନୋମି ୬.୯୧ ରହିଛି। ସେହିପରି ଦିନିକିଆ ସିରିଜ୍‌ରେ ଗୋଟିଏ ମ୍ୟାଚ୍‌ ଖେଳି ସେ ଦୁଇଟି ୱିକେଟ ନେଇଥିଲେ।

ପାଣ୍ଡ୍ୟା ସୋଶିଆଲ ମିଡିଆରେ ଏକ ପୋଷ୍ଟ କରି ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେ ନଟରାଜନଙ୍କ ସହିତ ଥିବା ଏକ ଫଟୋ ଟୁଇଟରେ ସେୟାର କରି କହିଛନ୍ତି ଯେ, ନଟରାଜନ ତୁମେ ଏହି ସିରିଜ୍‌ରେ ବେଶ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ପାଇଁ ଡେବ୍ୟୁ କରିବା ବେଳେ ପରିସ୍ଥିତି ବହୁତ ଜଟିଳ ଥିଲା। ତଥାପି ତୁମେ ଜବରଦସ୍ତ ବୋଲିଂ କରିଥିଲ। ତୁମ ପ୍ରଦର୍ଶନ ହିଁ ତୁମେ କେତେ ପରିଶ୍ରମୀ ଓ ଟ୍ୟାଲେଣ୍ଟଟେଡ୍‌, ସେକଥା ବୟାନ କରୁଛି। ତୁମେ ମୋ ତରଫରୁ ମ୍ୟାନ ଅଫ ଦି ସିରିଜ୍‌ର ହକଦାର ଭାଇ। ସିରିଜ୍‌ ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ବହୁତ ବହୁତ ଶୁଭେଚ୍ଛା।”

ନଟରାଜନ ତୃତୀୟ ଟି-୨୦ରେ ଚାରି ଓଭରରେ ୩୩ ରନ ଦେଇ ଏକ ଓ୍ଵିକେଟ୍ ନେଇଥିଲେ। ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୨-୧ରେ ଜିତି ନେଇଛି। ନଟରାଜନ ପ୍ରଥମ ଟି-୨୦ରେ ୩ ଓ ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଦୁଇଟି ଓ୍ଵିକେଟ୍ ନେଇଥିଲେ।

Comments are closed.