Odisha Link
Bridging the Missing Links in Odisha

ଡିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ ହେବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ଦେଶରେ ଇ-ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ନାଗରିକଙ୍କ ଜୀବନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଡିଜିଟାଲ ସଂଯୋଗକୁ ପ୍ରୋତ୍ସାହନ ଦେବା ଦିଗରେ ଆଜିର କ୍ୟାବିନେଟ୍ ନିଷ୍ପତି ଡ଼ିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ କରିବା ସହ ଡ଼ିଜିଟାଲ ଇଣ୍ଡିଆକୁ ବଡ଼ ଗତି ଦେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କ୍ୟାବିନେଟ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ସର୍ବସାଧାରଣରେ ମାଗଣା ୱାଇ-ଫାଇ ପ୍ରତିଷ୍ଠା ପାଇଁ ପିଏମ୍‌-ୱାଣୀ ଆରମ୍ଭ ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ନିଷ୍ପତି ଫଳରେ ଲୋକମାନେ ବିନା କୌଣସି ଶୁଳ୍କରେ ପ୍ରତିଷ୍ଠା ହେବାକୁ ଥିବା ପବ୍ଲିକ ଡ଼ାଟା ଅଫିସ ମାଧ୍ୟମରେ ହାଇ-ସ୍ପିଡ଼ ଇଂଟରନେଟର ସୁବିଧା ପାଇପାରିବେ। ଏହା ନିଷ୍ପତ୍ତି ଡ଼ିଜିଟାଲ ସ୍ୱାକ୍ଷରତାକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ ଓ ଟେଲିକମ ସେବାରେ ଉନ୍ନତି ଆଣିବ। ଏହାସମେତ ଶିକ୍ଷା, ଟେଲି ମେଡିସିନ୍‌, ଇ-ବାଣିଜ୍ୟ ଏବଂ ଇ-ଶାସନ ସମେତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସେହିପରି କୋଚି ଏବଂ ଲକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ମଧ୍ୟରେ ଭୂତଳ ଅପ୍ଟିକାଲ୍ ଫାଇବର ସଂଯୋଗ ପ୍ରଦାନ ଓ ଅରୁଣାଚଳ ପ୍ରଦେଶ ଏବଂ ଆସାମର କିଛି ଭାଗରେ ମୋବାଇଲ୍ କଭରେଜ୍ ନିମନ୍ତେ ୟୁନିଭର୍ସାଲ୍ ସର୍ଭିସ୍ ବାଧ୍ୟତାମୂଳକ ପାଣ୍ଠି ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ଦେବା ଫଳରେ ଏହି ଅଂଚଳ ଗୁଡିକର ବିକାଶରେ ପରିବର୍ତନ ଆସିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାରେ ୨୨ ହଜାର ୮୧୦ କୋଟି ଟଙ୍କା ବ୍ୟୟରେ ସମଗ୍ର ଯୋଜନାର ଅବଧି ୨୦୨୦ ରୁ ୨୦୨୩ ଯାଏଁ ବୃଦ୍ଧି କରାଯାଇଛି। ଏହି ନିଷ୍ପତି ଦ୍ୱାରା ଆନୁଷ୍ଠାନିକ କ୍ଷେତ୍ରରେ ନିଯୁକ୍ତି ତଥା କୋଭିଡ ପୁନରୁଦ୍ଧାର ପର୍ଯ୍ୟାୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.