ରିମାଣ୍ଡରେ ଯିବେ ଆକାଶ ପାଠକ

ଭୁବନେଶ୍ୱର: ରିମାଣ୍ଡରେ ଯିବେ ଆକାଶ ପାଠକ। ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ପୁଣି ଥରେ ରିମାଣ୍ଡରେ ଯିବେ। ତେବେ ଆସନ୍ତକାଲିଠାରୁ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଏନେଇ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଥିବା ଜଣାଯାଇଛି। ଏହି ରିମାଣ୍ଡ ଜେରା ଦ୍ୱାରା ବହୁ ତଥ୍ୟ କ୍ରାଇମବ୍ରାଞ୍ଚକୁ ମିଳିପାରିବ ବୋଲି ଆଶା କରାଯାଉଛି।
ପୁଅ ଆକାଶ ପାଠକଙ୍କ ନାମରେ ହୋଇଥିବା ଠକେଇ ମାମଲାର ତଦନ୍ତ ପାଇଁ କମିସନରେଟ୍ ପୁଲିସ କୋର୍ଟଙ୍କୁ ଅବଗତ କରିଥିଲା। ଖାରବେଳ ନଗର ଥାନା ପକ୍ଷରୁ ଲିଖିତ ଭାବେ ଏହି ମାମଲା ସମ୍ପର୍କରେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ସ୍କାଏ କିଙ୍ଗ୍ ସଂସ୍ଥାକୁ ୬୫ ଲକ୍ଷ ଟଙ୍କା ଠକିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହେବା ପରେ ପୁଲିସ ଉଭୟ ବାପ-ପୁଅଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା। ଉଭୟ ଜେଲରେ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହୋଇନଥିଲା। ଏଣୁ କୋର୍ଟ ଜରିଆରେ ଅଭିଯୁକ୍ତଙ୍କୁ ଅବଗତ କରାଯାଇଥିଲା। ଏହି ଆବେଦନ ଗ୍ରହଣ ହେବା ପରେ ପୁଲିସ ଉଭୟଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା।
ଆକାଶର ସ୍ପେସିମେନ୍ ଦସ୍ତଖତ ସଂଗ୍ରହ କରାଯାଇଛି। ଏହି ଦସ୍ତଖତ ସହ ଟାଟା ମୋଟର୍ସ ଲେଟର ପ୍ୟାଡ୍ରେ ଥିବା ବିଭିନ୍ନ ଦସ୍ତଖତର ସାମଞ୍ଜସ୍ୟ ପରୀକ୍ଷା କରିବା ପାଇଁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି।ସ୍କାଏ କିଙ୍ଗ୍ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ ଚୌଧୁରୀଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନାରେ ରୁଜୁ ହୋଇଥିବା ମାମଲାର ଖୋଳତାଡ଼ କରୁ କରୁ ପୁଲିସ ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କ ସମ୍ପୃକ୍ତିର ପ୍ରମାଣ ପାଇଛି।