Odisha Link
Bridging the Missing Links in Odisha

ନବନିଯୁକ୍ତ ୬ କୁଳପତିଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ବୈଠକ, ଗବେଷଣାକୁ ଗୁରୁତ୍ବ ଦେବାକୁ ପରାମର୍ଶ

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ କାର୍ଯ୍ୟକୁ ଆଗେଇନେବା ଓ ବିଶ୍ୱବିଦ୍ୟାଳୟରେ ଗବେଷଣା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ ଏବଂ ଗବେଷଣାର ସନ୍ଦର୍ଭଗୁଡ଼ିକ ପ୍ରମୁଖ ପତି୍ରକାରେ ପ୍ରକାଶନ ଦିଗରେ କୁଳପତିମାନେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡ଼ିକରେ ଠିକ୍‌ ସମୟରେ ନାମଲେଖା, ପାଠ୍ୟକ୍ରମ ଶେଷ କରି ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚାଳନା କରି ଫଳ ପ୍ରକାଶନ ଆଦି ଉପରେ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତିମାନେ ସମୁଚିତ ପଦକ୍ଷେପ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।

ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ ନବନିଯୁକ୍ତ କୁଳପତିମାନଙ୍କ ସହିତ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ କାର୍ଯ୍ୟକ୍ରମକୁ ଅନୁପାଳନପୂର୍ବକ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଉତ୍କର୍ଷ ଶିକ୍ଷା କେନ୍ଦ୍ରରେ ପରିଣତ କରିବାକୁ ହେବ । ବିଶ୍ୱବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକ ଯେପରି ନାକ୍‌ ମାନ୍ୟତା ପାଇପାରିବେ ସେ ଦିଗରେ ବିଶ୍ୱବିଦ୍ୟାଳୟମାନଙ୍କର ଗୁରୁଦାୟିତ୍ୱ ରହିଛି ।

ରାଜ୍ୟରେ ଉଚ୍ଚଶିକ୍ଷାର ମାନବୃଦ୍ଧି ନିମନ୍ତେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପର ସଫଳ ରୂପାୟନ ଦିଗରେ ପ୍ରତ୍ୟେକ ସ୍ତରରେ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ । ମୋ କଲେଜ୍‌/ମୋ ୟୁନିଭର୍ସିଟି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ପୁରାତନ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାନୁଷ୍ଠାନର ଉନ୍ନତିରେ ସାମିଲ କରିବା ଦିଗରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଏକକ ପିଜି ପ୍ରବେଶିକା ପରୀକ୍ଷା, ପ୍ରୋକେଫାରିଆଲ୍‌ ପ୍ରଥା, ମଡେଲ ସିଲାବସ୍‌ଆଦି ଫଳପ୍ରଦ ହୋଇପାରିଛି। ଏକ ଉତ୍ତମ ଶୈକ୍ଷିକ ବାତାବରଣ ଓ ଶୃଙ୍ଖଳା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଆଶାଆକାଂକ୍ଷା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟର କୁଳପତିମାନେ ଦୃଢ଼ ନେତୃତ୍ୱ ପ୍ରଦାନ କରିବାକୁ ମନ୍ତ୍ରୀ ଡ. ସାହୁ କହିଛନ୍ତି । ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ବିଶ୍ୱବ୍ୟାଙ୍କ ପ୍ରକଳ୍ପ ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗ ପରମେଶ୍ୱରନ୍‌ ବି. ପ୍ରମୁଖ ସଂପ୍ରତି ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ସଂସ୍କାରମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଏବଂ ଶିକ୍ଷାଦାନ ଦିଗରେ ମିଳୁଥିବା ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକଣା ଭାବରେ ବିନିଯୋଗ କରି ଶିକ୍ଷାର ମାନବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତିମାନେ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ବିଷୟରେ ସେମାନଙ୍କ ସୁଚିନ୍ତିତ ମତ ପ୍ରଦାନ କରିଥିଲେ ।

ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍‌ ନାଗରାଜୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ଏବଂ ଖଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Comments are closed.