Odisha Link
Bridging the Missing Links in Odisha

ଭୁବନେଶ୍ବରରେ ବ୍ରିଟେନ୍‌ ଫେରନ୍ତା ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରେ ଜଣେ ବ୍ରିଟେନ୍‌ ଫେରନ୍ତା ଚିହ୍ନଟ। ବ୍ରିଟେନ୍‌ ଫେରନ୍ତା ଚିହ୍ନଟ ନେଇ ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି। ବ୍ରିଟେନ୍‌ରୁ ଆସିଥିବା ଜଣଙ୍କୁ ଚିହ୍ନଟ କରାଯାଇଛି। ଉକ୍ତ ବ୍ରିଟେନ୍‌ ଫେରନ୍ତା ସଙ୍ଗରୋଧରେ ରହିବେ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ବ୍ରିଟେନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଏବେ ପୁଣି ଥରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଭାରତରେ ମଧ୍ୟ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଦ୍ବାରା ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ଵର ବିମାନ ବନ୍ଦରରେ ନୂଆ ଏସ୍ଓପି ଜାରି କରାଯାଇଛି। ଏସ୍ଓପିରେ ଲକ୍ଷଣ ଥିବା ୫୫ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯାତ୍ରୀଙ୍କର ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହା ସହ ବିଦେଶ ଫେରନ୍ତା ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ବିମାନ ବନ୍ଦର ନିର୍ଦ୍ଦେଶ ଦେଇଛନ୍ତି।

ବିମାନ ବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ଵତନ୍ତ୍ର କିଓସ୍କରେ ଯାତ୍ରୀଙ୍କ ଯାଞ୍ଚ ନେଇ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ବରରୁ ଉଡାଣ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏସଓପି ଜାରି କରାଯାଇଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗୌତମ ରାୟ ସୂଚନା ଦେଇଛନ୍ତି।

ଭାରତରେ ନୂଆ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ କରୋନା ରୋଗୀ ଚିହ୍ନଟ ହେବା ପରେ ବିଭିନ୍ନ ରାଜ୍ୟର ସରକାର ଏ ନେଇ ସତର୍କ ହୋଇଛନ୍ତି। ଏହି ୭୦ପ୍ରତିଶତ ଅଧିକ ସଂକ୍ରାମକ ହୋଇଥିବାରୁ ବ୍ରିଟେନ୍‌ରୁ ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ଲାଗି ୧୪ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ ରାପିଡ୍‌ ରେସପନ୍‌ସ ଟିମ୍ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବେ। ସଙ୍ଗରୋଧ ରହିବା ସମୟରେ କୌଣସି ବ୍ୟକ୍ତିଙ୍କ ଶରୀରରେ କୌଣସି ଲକ୍ଷଣ ପ୍ରକାଶ ପାଏ, ତାହାଲେ ତାଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ।

ଯଦି ସଂପୃକ୍ତ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତାହାଲେ ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ରଖାଯିବା ସହ ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ। ସଂପୃକ୍ତ ବ୍ୟକ୍ତିଙ୍କ ଜିନ୍ ଅନୁଶୀଳନ କରାଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ବିଏମ୍‌ସି, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ବର, ଝାରସୁଗୁଡ଼ା ବିମାନବନ୍ଦର କର୍ତୃପକ୍ଷ, ଝାରସୁଗୁଡ଼ା ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.