Odisha Link
Bridging the Missing Links in Odisha

ମୋଦି ମୋହନ ଭାଗବତଙ୍କୁ ମଧ୍ୟ ଆତଙ୍କବାଦୀ କହିଦେବେ: ରାହୁଲ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧ କରି ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ରାହୁଲ କହିଛନ୍ତି, ଭାରତରେ ଗଣତନ୍ତ୍ର ନାହିଁ ଓ ଯେଉଁମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଛିଡ଼ା ହେଉଛନ୍ତି, ସେମାନଙ୍କୁ ଆତଙ୍କବାଦୀ କୁହାଯାଉଛି। ଯଦି ଆରଏସଏସ ମୁଖ୍ୟ ମୋହନ ଭାଗବତ ବି ମୋଦିଙ୍କୁ ବିରୋଧ କରିବେ, ତା’ହେଲେ ତାଙ୍କୁ ମଧ୍ୟ ଆତଙ୍କବାଦୀ କହିବାକୁ ସେମାନେ ପଛାଇବେ ନାହିଁ ବୋଲି ରାହୁଲ କହିଛନ୍ତି।

କୃଷି ଆଇନକୁ ଉଚ୍ଛେଦ କରିବା ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ଦେବା ପରେ ରାହୁଲ କହିଛନ୍ତି, “ପ୍ରଧାନମନ୍ତ୍ରୀ ପୁଞ୍ଜିପତିମାନଙ୍କ ଠାରୁ ଟଙ୍କା ଆଣୁଛନ୍ତି। ଯିଏ ବି ତାଙ୍କ ବିରୋଧରେ ମତ ଦେଉଛନ୍ତି କିମ୍ବା ତାଙ୍କ ବିରୋଧରେ ଛିଡ଼ା ହେଉଛନ୍ତି, ସେମାନଙ୍କୁ ଆତଙ୍କବାଦୀ ଭାବେ ବିବେଚନା କରାଯାଉଛି। ଚାଷୀ, ଶ୍ରମିକ ଏପରି କି ମୋହନ ଭାଗବତ ବି ଯଦି ମୋଦିଙ୍କୁ ବିରୋଧ କରିବେ, ତା’ହେଲେ ତାଙ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରି ଦିଆଯିବ। ଭାରତରେ ଏବେ କୌଣସି ପ୍ରକାରର ଗଣତନ୍ତ୍ର ନାହିଁ। ଯଦି କେହି ଗଣତନ୍ତ୍ର ରହିଛି ବୋଲି ଭାବୁଛନ୍ତି, ତା’ହେଲେ ଏହା କେବଳ ଗୋଟିଏ କଳ୍ପନା ଛଡ଼ା ଆଉ କିଛି ନୁହେଁ।”

କୃଷି ଆଇନ ସମ୍ପର୍କରେ ରାହୁଲ କହିଛନ୍ତି, ନୂଆ କୃଷି ଆଇନ ଦ୍ୱାରା ଲକ୍ଷାଧିକ ଚାଷୀଙ୍କ ଜୀବିକା ଚାଲିଯିବ। ୪ରୁ ୫ ଜଣ ପୁଞ୍ଜିପତିଙ୍କୁ ସବୁ କିଛି ମିଳିଯିବ। ପ୍ରଧାନମନ୍ତ୍ରୀ କିଛି ବି ଜାଣିନାହାନ୍ତି, ଏକଥା ଆମ ଦେଶର ଯୁବକ ଓ ଲୋକମାନେ ଜାଣି ରଖିବା ଦରକାର। ସେ ଏମିତି ଜଣେ ବ୍ୟକ୍ତି ଯିଏ କେବଳ ପୁଞ୍ଜିପତିଙ୍କ କଥା ଶୁଣନ୍ତି। ଆଜି ଦେଶର ଚାଷୀ ଓ ଶ୍ରମିକମାନେ ଏକାଠି ହୋଇଛନ୍ତି। କିନ୍ତୁ ପ୍ରତିଥର ଭଳି ଏଥର ମଧ୍ୟ ସରକାରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ଆତଙ୍କବାଦୀ ଓ ଦେଶଦ୍ରୋହୀ କୁହାଯାଉଛି। ଏହା ଦୁର୍ଭାଗ୍ୟଜନକ ବୋଲି ରାହୁଲ କହିଛନ୍ତି।

Comments are closed.