Odisha Link
Bridging the Missing Links in Odisha

ଆଜି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ଦିନ। ୧୯୨୪ ମସିହା ଆଜିର ଦିନରେ ଏହି ମହାନ ରାଜନେତା ଗ୍ୱାଲିୟର୍‌ରେ ଜନ୍ମ ଗ୍ରହଣ କରିଥିଲେ। ଅଟଳ ବିହାରୀ ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତୀୟ ରାଜନନୀତିରେ ବାଜପେୟୀଙ୍କର ଅବଦାନ ଅନେକ। ଦେଶର ବିକାଶ ହିଁ ତାଙ୍କର ମୂଳ ଏଜେଣ୍ଡା ଥିଲା। ଏଥିପାଇଁ ସେ ବିଜେପି ଦଳରେ ଥିଲେ ମଧ୍ୟ ସବୁ ଦଳର ଲୋକେ ତାଙ୍କୁ ସମ୍ମାନ କରୁଥିଲେ।

ଆଜି ତାଙ୍କ ଜନ୍ମଜୟନ୍ତୀରେ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳ ବିହାରୀ ବାଜପେୟୀ ଜୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଶତ ଶତ ପ୍ରଣାମ। ତାଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ସେ ଦେଶକୁ ବିକାଶର ଅଭୂତ ପୂର୍ବ ଉଚ୍ଚରେ ପହଞ୍ଚାଇ ଥିଲେ। ଗୋଟିଏ ସଶକ୍ତ ଓ ସମୃଦ୍ଧ ଭାରତର ନିର୍ମାଣ ପାଇଁ ତାଙ୍କର ଉଦ୍ୟମକୁ ସର୍ବଦା ସ୍ମରଣ କରାଯିବ।”

ବାଜେପୟୀଙ୍କ ଜନ୍ମଦିନକୁ ମୋଦି ସରକାର ‘ସୁ ସାଶନ ଦିବସ’ ରୂପେ ପାଳନ କରୁଛନ୍ତି। ଆଜି ୯୬ତମ ଜନ୍ମ ଦିନରେ ମୋଦି ବାଜପେୟୀଙ୍କ ଜୀବନକୁ ନେଇ ରଚିତ ଗୋଟିଏ ବହିର ଉନ୍ମୋଚନ କରିବେ। ସଂସଦର ସେଣ୍ଟ୍ରାଲ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ବହିଟିକୁ ଉନ୍ମୋଚିତ କରିବେ। ଏଥିରେ ତାଙ୍କ ସଂଘର୍ଷର କାହାଣୀ ରହିଛି। ସେହିପରି ସଂସଦରେ ସେ ଦେଇଥିବା କାଳଜୟୀ ଭାଷଣ ଗୁଡ଼ିକ ମଧ୍ୟ ବହିରେ ଉଲ୍ଲେଖ କରାଯାଇଛି। କିଛି ବିରଳ ଓ ଲୋକଲୋଚନକୁ ଆସି ପାରି ନଥିବା ଫଟୋ ଏଥିରେ ରହିଥିବା ଜଣାପଡ଼ିଛି।

Comments are closed.