Odisha Link
Bridging the Missing Links in Odisha

କାଲିଠୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ରାତି ପାଇଲେ ଖୋଲିବ ଶ୍ରୀଲିଙ୍ଗରା ମନ୍ଦିର। ୯ ମାସର ଅପେକ୍ଷା ପରେ ନେତ୍ର ଦେଖିବ ଶ୍ରୀଲିଙ୍ଗରାଜକୁ। କୋଭିଡ୍ କଟକଣା ଭିତରେ ଆସନ୍ତାକାଲିଠାରୁ ଏକ୍ରାମ କ୍ଷେତ୍ର ଅଧିପତି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। କାଲିଠାରୁ ଜାନୁଆରୀ ୩୧ ତାରିଖ ଯାଏ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ ଅନୁମତି ଦିଆଯାଇଛି। ମନ୍ଦିର ଖୋଲିବା ପୂର୍ବରୁ ଆଜି ଚାରିପାଖକୁ ସାନିଟାଇଜ୍ କରାଯାଇଛି। ଆସନ୍ତାକାଲି ସକାଳେ ଲିଙ୍ଗରାଜ ମନ୍ଦିର ଖୋଲିବ।

ମହାପ୍ରଭୁଙ୍କୁ ୯ ମାସ ହେଲା ଦେଖି ନଥିବା ଭକ୍ତ, ମନ ଭରି ଦର୍ଶନ କରିବେ। ଜାନୁଆରୀ ୧ ଓ ୨ ତାରିଖ ଦୁଇଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜାନୁଆରୀ ୩ ତାରିଖଠାରୁ ୫ ତାରିଖ ଯାଏ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ଲୋକଙ୍କୁ ଦର୍ଶନ ସୁବିଧା ମିଳିବ। ୬ ତାରିଖ ଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତିନିଥାକିଆ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଛି।

ବ୍ୟାରିକେଡ୍ ବ୍ୟବସ୍ଥା ସହିତ ମନ୍ଦିରରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଛି। ସମସ୍ତଙ୍କ ପାଇଁ ମାସ୍କ, ସାନିଟାଇଜ୍ ଓ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ଗେଟରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସ୍କ୍ରିନିଂ ପରେ ଦର୍ଶନ ପାଇଁ ଭିତରକୁ ଛଡ଼ାଯିବ। ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବାବେଳେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ। ମନ୍ଦିର ଭିତରେ ଏକକାଳୀନ ସର୍ବାଧିକ ୫ ଶହ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ। କାହାରିକୁ ଗର୍ଭଗୃହକୁ ଯାଇ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ, ଆଡ଼ପ ମଣ୍ଡପ ନିକଟରେ ରହି ଦର୍ଶନ କରିବେ।

Comments are closed.