Odisha Link
Bridging the Missing Links in Odisha

ଟେଷ୍ଟ କ୍ରିକେଟରେ ଭାରତ-ଅଷ୍ଟ୍ରେଲିଆର ଶତକ

ମେଲବର୍ଣ୍ଣ: ଶନିବାରଠୁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ଐତିହାସିକ ବକ୍ସିଂ ଡେ ଟେଷ୍ଟ। ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଏହି ଟେଷ୍ଟ। ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନି‌ଷ୍ପତ୍ତି ନେଇଥିଲା। ଖବର ଲେଖା ହେବା ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୫ ଓ୍ବିକେଟ ହରାଇ ୧୪୪ ରନ୍‌ କରିଛି। ଦଳ ପକ୍ଷରୁ ଅଧିନାୟକ ଟିମ୍‌ ପେନ୍‌ ଓ କ୍ୟାମରନ୍‌ ଗ୍ରିନ୍‌ ଉଭୟ ୭ ରନ୍‌ ଲେଖାଏଁ କରି କ୍ରିଜ୍‌ରେ ଅଛନ୍ତି। ଅପରପକ୍ଷେ ଯଶପ୍ରୀତି ବୁମରା ଓ ରବିଚନ୍ଦ୍ରନ ଅଶ୍ବିନୀ ଉଭୟେ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ଓ୍ବିକେଟ ନେଇଛନ୍ତି।

ଏଥିସହିତ ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି। ବକ୍ସିଂ ଡେ ଟେଷ୍ଟରେ ଏହି ୧୦୦ ତମ ମ୍ୟାଚ୍‌ ଖେଳାଯାଉଥିବା ବେଳେ ଏହାଏକ ମାଇଲଷ୍ଟୋନ୍‌ ବୋଲି କୁହାଯାଉଛି। ଉଭୟ ଦଳ ପ୍ରଥମେ ପରସ୍ପର ବିପକ୍ଷରେ ୧୯୪୭ ମସିହାରେ ଟେଷ୍ଟ କ୍ରିକେଟ ଖେଳିଥିଲେ। ସେତେବେଳେ ୫ ମ୍ୟାଚ୍ ବିଶିଷ୍ଟ ସେହି ସିରିଜରେ ଅଷ୍ଟ୍ରେଲିଆ ୪-୦ରେ ଜିତି ନେଇଥିଲା। ଏହି ସିରିଜ ଅକ୍ଟୋବର ୧୭ ୧୯୪୭ରୁ ଆରମ୍ଭ ହୋଇ ୧୯୪୮ ଫେବ୍ରୁଆରୀ ୨୦ ଯାଏଁ ଚାଲିଥିଲା। ଏହି ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ବ୍ରାଡମ୍ୟାନ୍ ୭୧୫ ରନ୍ କରିଥିଲେ। ଭାରତ ପକ୍ଷରୁ ବିଜୟ ହଜାରେ ୪୨୯ ରନ୍ କରିଥିଲେ। ଏଥିସହିତ ଭାରତ ପକ୍ଷରୁ ଲାଲା ଅମରନାଥ ୧୩ଟି ଓ୍ୱିକେଟ୍ ନେଇଥିଲେ।

ସୂଚନାଥାଉକି, ଅଷ୍ଟ୍ରେଲିଆ ଅନ୍ୟ ଦଳ ସହ ଭାରତ ବିପକ୍ଷରେ ମଧ୍ୟ ନିଜର ଦବଦବା ଜାହିର ରଖିଛି। ଏବେସୁଦ୍ଧା ଖେଳାଯାଇଥିବା ୯୯ ମ୍ୟାଚରୁ ଅଷ୍ଟ୍ରେଲିଆ ୪୩ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୨୮ଟି ଜିତିଛି। ଅନ୍ୟପଟେ ୨୭ଟି ମ୍ୟାଚ୍ ଡ୍ର ରହିଛି।

Comments are closed.