Odisha Link
Bridging the Missing Links in Odisha

ବୋହୂକୁ ମରଣାନ୍ତକ ନିର୍ଯ୍ୟାତନା

ବୁଗୁଡା :ଗତ ରାତିରେ ଜନୈକା ନବବଧୂଙ୍କୁ ତାଙ୍କ ସ୍ବାମୀଙ୍କ ଅନୁପସ୍ଥିତରେ ଶାଶୁ ଓ ଶ୍ବଶୁର ମାଡ ମାରି, ହାତଗୋଡ଼ ବାନ୍ଧି ପଡିଶା ଘର ବାରି ପଟେ ଥିବା ଏକ ବାଉଁଶ ଡୋଲିରେ ପକାଇ ଦେଇଥିଲେ। ଏହି ଅଭାବନୀୟ ଘଟଣାଟି ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ପାଞ୍ଚାୟତର ଡାଙ୍ଗିସାହି ଗ୍ରାମରେ ଘଟିଛି।ଗ୍ରାମବାସୀ ମାନେ ନବବଧୂ ଝିଲ୍ଲୀ ପ୍ରଧାନ(୨୦)ଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ।

ପ୍ରଥମେ ମାଣିତରା ମେଡିକାଲ ଏବଂ ପରେ ବୁଗୁଡା ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ। ସେଠାରେ ଝିଲ୍ଲୀଙ୍କର ପ୍ରାଥମିକ ଚିକିତ୍ସା ପରେ ଚେତା ଫେରିଥିଲା । କିନ୍ତୁ ସେ କଥା କହିପାରୁ ନଥିଲେ ଏବଂ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନା ଅନୁସାରେ, ଡାଙ୍ଗିସାହି ଗ୍ରାମର ସତ୍ୟ ନାରାୟଣ ଆରୁଖଙ୍କ ପୁଅ ଜିତେନ୍ଦ୍ର ବୁଗୁଡା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ପଠାଣ ପ୍ରଧାନଙ୍କ ଝିଅ ଝିଲ୍ଲୀଙ୍କୁ ଗତ ଫେବୃୟାରୀ ୧୬ ତାରିଖରେ ବିବାହ କରିଥିଲେ। ସ୍ଵାମୀ ଜିତେନ୍ଦ୍ର ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରନ୍ତି।

ତାଙ୍କର ଅନୁପସ୍ଥିତିରେ ଶାଶୁ ଓ ଶ୍ବଶୁର ଝିଲ୍ଲୀକୁ ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ତେବେ ୧୫ ଦିନ ତଳେ ବାପଘରୁ ଶାଶୁ ଘରକୁ ଫେରି ଥିବା ବୋହୂ ଝିଲ୍ଲୀକୁ ଗତ ରାତିରେ ଶାଶୁଘର ଲୋକେ ଭୀଷଣ ମାଡମାରି ହାତଗୋଡ ବାନ୍ଧି ବେକ ଓ ମୁହଁରେ ଲୁଗା ଗୁଡାଇ ପଡୋଶୀ ଘର ଡୋଲିରେ ପକାଇ ଦେଇଥିଲେ।

ଏନେଇ ଝିଲ୍ଲୀଙ୍କ ବାପା ବୁଗୁଡ଼ା ଥାନାରେ ଝିଅର ଶାଶୁ, ଶ୍ବଶୁର ଓ ନଣନ୍ଦଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୩୯୬/୨୦ରେ ଏକ ମାମଲା ରୁଜୁ କରିବା ସହ ଶାଶୁ ଓ ଶ୍ବଶୁରକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Comments are closed.