Odisha Link
Bridging the Missing Links in Odisha

ରାଜ୍ୟରେ ହାଡ଼ଭଙ୍ଗା ଶୀତ, ୧୦ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ଉତ୍ତରରୁ ଉପକୂଳ, ପୂର୍ବରୁ ପଶ୍ଚିମ ଏବଂ ଦକ୍ଷିଣ ଜିଲ୍ଲା ଗୁଡ଼ିକରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ପ୍ରବଳ ଥଣ୍ଡା ଏବଂ କୁହୁଡିରେ ଅସ୍ତବ୍ୟସ୍ତ ଜନଜୀବନ। ଦିନ ଅପେକ୍ଷା ରାତିର ତାପମାତ୍ରାରେ ହ୍ରାସ ଘଟୁଛି। ଏଭଳି ପାଗ ଆହୁରି ୫ ଦିନ ରହିବ ବୋଲି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ବାୟୁ ପ୍ରବାହ ପାଇଁ ଓଡ଼ିଶାରେ ଗତ ସପ୍ତାହରୁ ଥଣ୍ଡା ଜାରି ରହିଛି।

ଗତକାଲି ରାଜ୍ୟରେ ୧୨ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ାରେ ୮.୨ ଡିଗ୍ରୀ, ବାରିପଦାରେ ୮.୫ ଡିଗ୍ରୀ ,କୋରାପୁଟ ଓ ସୁନ୍ଦରଗଡ଼ରେ ୯ ଡିଗ୍ରୀ, ତାଳଚେରରେ ୯.୩ ଡିଗ୍ରୀ, କେନ୍ଦୁଝରରେ ୯.୪ ଡିଗ୍ରୀ, ଭବାନୀପାଟଣାରେ ୯.୬ ଡିଗ୍ରୀ, ସୋନପୁରରେ ୯.୬ ଡିଗ୍ରୀ, ବଲାଙ୍ଗିରରେ ୯.୮ ଡିଗ୍ରୀ ଓ ରାୟଗଡ଼ାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ ରାଜ କରୁଛି ଶୀତ। ୨୪ ଘଣ୍ଟା ମଧ୍ୟରେ ୧୫ ଡିଗ୍ରୀ ତଳେ ରାଜ୍ୟର ୨୪ଟି ସହରର ତାପମାତ୍ରା ରହିଥିବା ବେଳେ ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ରାଜଧାନୀ ଭୁବେନଶ୍ୱର ଏବଂ କଟକରେ ତାପମାତ୍ରା ୧୨ଡିଗ୍ରୀ ମଧ୍ୟରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଗତ ସପ୍ତାହେ ଧରି ଫୁଲବାଣୀ ସବୁଠାରୁ ଥଣ୍ଡା ସହର ପାଲଟିଥିବା ବେଳେ ଏଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିଛି। ତେବେ ଆସନ୍ତା ୫ ଦିନ ପରେ ପାଗରେ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରିଛି ପାଣିପାଗ କେନ୍ଦ୍ର।

Comments are closed.