Odisha Link
Bridging the Missing Links in Odisha

ଜାରି ହେଲା ଜାନୁଆରୀ ଗାଇଡଲାଇନ୍, ଖୋଲିବ ସିନେମା ହଲ୍

ଭୁବନେଶ୍ବର: ରାଜ୍ୟରେ ପୂର୍ବ ଅପେକ୍ଷା କରୋନା ସଂକ୍ରମିତଙ୍କ ସଂଖ୍ୟା ପାଇବାରେ ଲାଗିଛି। ଯାହାକି ଏକ ଆଶ୍ବସ୍ତିକର ଖବର। ଏସବୁ ମଧ୍ୟରେ ବୁଧବାର ସନ୍ଧ୍ୟାରେ ରାଜ୍ୟ ସରକାର ଜାରି କରିଛନ୍ତି ଜାନୁଆରୀ ମାସ ପାଇଁ ଗାଇଡଲାଇନ୍। ଇଂରାଜୀ ନୂଆବର୍ଷରୁ ଜନଜୀବନକୁ ସ୍ବାଭାବିକ ନିମନ୍ତେ ଦୀର୍ଘ ୯ ମାସ ଧରି ଲାଗି ରହିଥିବା ବିଭିନ୍ନ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର।

କେନ୍ଦ୍ର ସରକାରଙ୍କ ଅନଲକ ଗାଇଡଲାଇନ୍ ଅନୁରୂପ କେବଳ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ଲାଗୁ ହେବ। ସିନେମା ହଲଗୁଡ଼ିକ ୫୦ ପ୍ରତିଶତ କ୍ଷମତା ସହ ଚାଲିବାକୁ ଅନୁମତି ଦିଆଯିବ। ଏହାସହିତ ଯାତ୍ରା, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ, ଥିଏଟର, ଅଡିଟୋରିୟମ ଆଦି ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେବେ। ତେବେ ଏଥିପାଇଁ କୋଭିଡ୍ ଗାଇଡଲାଇନ ପାଳନ ବାଧ୍ୟତାମୂଳକ ହେବ। ଅଙ୍ଗନବାଡ଼ିଗୁଡ଼ିକ ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସ୍କୁଲ ଓ କଲେଜ ଖୋଲିବା ସମ୍ପର୍କରେ ସମ୍ପୃକ୍ତ ବିଭାଗ ନିଷ୍ପତ୍ତି ନେବେ।

ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ଜାନୁଆରୀ ୧ରୁ ୩୧ତାରିଖ ପର୍ଯ୍ୟନ୍ତ ଅବଧି ନିମନ୍ତେ କରୋନା ଗାଇଡଲାଇନ୍ ଜାରି କରିଛନ୍ତି। ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶରେ ସର୍ବାଧିକ ୨୦୦ଜଣ ଲୋକ ଏକଜୁଟ ହେବା ପାଇଁ ଅନୁମତି ଦିଆଯାଇଛି। ଯାହାକି ଡିସେମ୍ବର ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାରଣ ରହିଥିଲା।

ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨୦୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ସର୍ବାଧିକ ୧୦୦ଜଣ ଲୋକ ସାମିଲ ହୋଇପାରିବେ। ବ୍ୟବସାୟିକ ବୈଠକରେ ସର୍ବାଧିକ ୨୦୦ଜଣ ଲୋକଙ୍କୁ ନେଇ ମିଟିଂ ହୋଇପାରିବ। ସେହିପରି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦ ପ୍ରତିାତ ଓ ୨୦୦ଜଣ ଲୋକଙ୍କୁ ନେଇ ବୈଠକ ହୋଇପାରିବ। ସଭାସ୍ଥଳ ଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ, ସାନିଟାଇଜର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ହେବ।

Comments are closed.