Odisha Link
Bridging the Missing Links in Odisha

କାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ସର୍ବସାଧାରଣ ଭକ୍ତ

ପୁରୀ: ୯ ମାସ ପରେ ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ସର୍ବସାଧାରଣ ଭକ୍ତ। ରାଜ୍ୟ ଏବଂ ରାଜ୍ୟ ବାହାର ଭକ୍ତମାନେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ କରିବେ ଦର୍ଶନ ।ପରୀକ୍ଷାମୂଳକ ଭାବେ ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ଏବେ ୧୫ରୁ ୧୭ହଜାର ଭକ୍ତ ଦର୍ଶନ କରିପାରିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।

ସ୍ବତନ୍ତ୍ର ଏସଓପି ଅନୁଯାୟୀ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତି କରାଯାଇଛି। କରୋନା କଟକଣା ଯୋଗୁଁ ଦର୍ଶନରୁ ବଞ୍ଚିତ ହୋଇଥିବା ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଥିବା ସ୍ବତନ୍ତ୍ର ଏସଓପି ଓ କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ ହେବ। ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତମାନେ ସର୍ବାଧିକ ୪ଦିନ ପୂର୍ବର କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣି ଦର୍ଶନ କରିପାରିବେ।

ଏହାଛଡା ମାର୍କେଟ ଛକଠାରୁ ହୋଇଥିବା ସ୍ବତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ବାରକୁ ଆସିବା ପରେ ଭକ୍ତମାନଙ୍କର ଫଟୋ ଉଠିବା ସହ ହାତକୁ ସାନିଟାଇଜ୍ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଦୀର୍ଘ ୯ମାସ ପରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଥିବା ଭକ୍ତମାନେ ବେଶ୍ ଉତ୍ସାହିତ। ଏସଓପି ଅନୁଯାୟୀ କୌଣସି ଭକ୍ତ ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ଉପରେ କଟକଣା ଥିବାବେଳେ ଗୁଟଖା କିମ୍ବା ପାନ ଖାଇବା ଉପରେ ମଧ୍ୟ କଟକଣା ରହିଛି।

ସିଂହଦ୍ଵାରରେ ପ୍ରବେଶ ଉତ୍ତରଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି। ପରୀକ୍ଷାମୂଳକ ଭାବେ ପୁରୀର ସ୍ଥାନୀୟ ବାସିନ୍ଦା ପ୍ରତ୍ୟେକ ଦିନ ୫୦୦୦ ଦର୍ଶନ କରିବାର ବ୍ୟବସ୍ଥା ହୋଇଥିବା ବେଳେ ବର୍ତ୍ତମାନ ୧୫ ରୁ ୧୭ ହଜାର ଭକ୍ତ ଦର୍ଶନ କରିବା ବ୍ୟବସ୍ଥା ହୋଇଛି। ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି ପ୍ରଶାସନ। ଶୃଙ୍ଖଳିତ ଓ ସୁରକ୍ଷା ବ୍ୟବସ୍ଥା ସହ ଦର୍ଶନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି।

Comments are closed.