Odisha Link
Bridging the Missing Links in Odisha

ରାଜଧାନୀରୁ ୫୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ୫୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ଭୁବନେଶ୍ବରକୁ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ବେଳେ କମିସନରେଟ ପୁଲିସ୍‌ର କୁଇକ୍‌ ଆକ୍ସନ ଟିମ୍‌ ଏହାକୁ ଜବତ କରିଛି।

ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ‌ପରେ ପୁଲିସ ଟିମ୍‌ ଆଜି ସକାଳୁ ତମାଣ୍ଡୋ ପୁଲିସ ଥାନା ଅନ୍ତର୍ଗତ ପାଟଶାଣୀ ଢାବା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବ୍ରାଉନ ସୁଗାର ଚାଲାଣ କରୁଥିବା ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଅଭିଯୁକ୍ତମାନେ ଜଳେଶ୍ବର ପୁଲିସ ଥାନା ଅଧୀନ ରାଜପୁର ବସ୍ତିର ଏସ୍‌କେ ହଫିଜ୍‌ଉଦ୍ଦୀନଙ୍କ ପୁଅ ନସୀମଉଦ୍ଦୀନ ଓରଫ ପପୁ (୨୩) ଓ ଖୋର୍ଦ୍ଧା ଜିଲ୍ଲା ମଂଚେଶ୍ବର ଥାନା ଅନ୍ତର୍ଗତ ରସୁଲଗଡ଼ ନିବାସୀ ନରସିଂହ ରାଉତରାୟଙ୍କ ପୁଅ ଚିତ୍ତରଂଜନ ରାଉତରାୟ (୫୧)।

ତମାଣ୍ଡୋ ପୁଲିସ ୨ ଅଭିଯୁକ୍ତଙ୍କ ଠାରୁ ୫୨୦ ଗ୍ରାମର ବ୍ରାଉନ ସୁଗାର, ନଗଦ ୧୩ ହଜାର ୪୦୦ ଟଙ୍କା, ୨ଟି ବାଇକ୍‌ ଓ ୪ଟି ମୋବାଇଲ ଫୋନ ଜବତ କରିଛି। ପୁଲିସ ଏକ ମାମଲା ରୁଜୁ କରିଛି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Comments are closed.