Odisha Link
Bridging the Missing Links in Odisha

ପତିତପାବନଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ: ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ସିଂହଦ୍ୱାର। ଜଗା ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କାଳିଆ ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ। ଆଜି ସର୍ବସାଧାରଣଙ୍କ ସହ ସାମିଲ ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ। ଏହାସହ ରାଜ୍ୟପାଳ ଶ୍ରୀଜିଉଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି।

ଯଦିଓ ଶ୍ରୀମନ୍ଦିର ଭିତରକୁ ରାଜ୍ୟପାଳ ପ୍ରବେଶ କରିନାହାଁନ୍ତି ତାଥାପି ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି ରାଜ୍ୟପାଳ। ତେବେ କରୋନା କଟକଣା କାରଣରୁ ଦୀର୍ଘ ୧୦ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ପାଇବାରର ସୌଭାଗ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ। ଏତେଦିନର ଅଳି ଅଝଟକୁ କାଳିଆ ପାଖରେ କରୁଛନ୍ତି ଗୁହାରି।

ପ୍ରକାଶ ଯେ, ପ୍ରତିଦିନ ୧୫ହଜାରରୁ ଅଧିକ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିବ। କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସହ ଫଟୋ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି। ରାତି ୮ ଟା ଯାଏଁ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ମନ୍ଦିରରେ ପ୍ରବେଶ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଦର୍ଶନ ପାଇଁ ୨ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ୪୦କନଷ୍ଟେବଳ, ୪୦ ହୋମଗାର୍ଡଙ୍କ ସହ ୧୮ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି।

Comments are closed.