Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ସର୍ବସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ। ମାର୍କେଟ୍ ଛକ ଠାରୁ ସ୍ବତନ୍ତ୍ର ବ୍ୟାରିକେଡ୍ ଯୋଗେ ସିଂହଦ୍ବାରକୁ ଆସିବା ପରେ ଭକ୍ତମାନଙ୍କ ଫଟୋ ଉଠାଯିବା ସହ ହାତ ସାନିଟାଇଜ୍ କରି ଶ୍ରୀମନ୍ଦିରରେ ପ୍ରବେଶ କରିବାର ବ୍ୟବସ୍ଥା ହୋଇଛି।

ଏସ୍.ଓ.ପି ଅନୁସାରେ ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାକୁ ସ୍ପର୍ଶ କରିପାରିବେନି ଭକ୍ତ। ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ଓ ଗୁଟଖା ,ପାନ ଖାଇବା ଉପରେ କଟକଣା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୧୫ରୁ ୧୭ ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ସ୍ବତନ୍ତ୍ର ଏସ୍.ଓ.ପି ଓ କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ କରିପାରିବେ ଭକ୍ତ।

ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ସର୍ବାଧିକ ୪ଦିନ ପୂର୍ବର କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ ଆଣି ଦର୍ଶନ କରିପାରିବେ ବୋଲି କୁହାଯାଇଛି। ମନ୍ଦିର ପ୍ରବେଶ ଲାଗି ଶ୍ରଦ୍ଧାଳୁଙ୍କ ଲାଗି କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତା ମୂଳକ କରାଯାଇଛି। ବାହାରୁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ କରୋନା ଟେଷ୍ଟ କରିପାରିବେ ନାହିଁ। ପୁରୀବାସୀଙ୍କ ପାଇଁ ମଧ୍ୟ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ ବେଶ କଡ଼କାଡ଼ି କରାଯାଇଛି। ମୋଟ୍ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ, ୨ ଜଣ ଅତିରିକ୍ତ ଏସ୍.ପି., ୬ ଡି.ଏସ୍.ପି, ୯ ଇନସପେକ୍ଟର, ୩୫ ଏସ୍.ଆଇ, ୪୦ କନଷ୍ଟେବଲ୍ ଓ ୪୦ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି।

Comments are closed.