Odisha Link
Bridging the Missing Links in Odisha

ଆଜି ଦ୍ବିତୀୟ ଦିନରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଗତକାଲି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। କାଳି ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଭିଡ୍ ନିୟମକୁ ପାଳନ କରିବା ସହ ସ୍ୱତନ୍ତ୍ର ଏସ୍ଓପି ଜାରି କରାଯାଇଛି।

ଦିନକୁ ୧୫ ହଜାରରୁ ଅଧିକ ଭକ୍ତଙ୍କୁ ଦର୍ଶନ ସୁଯୋଗ ଯେପରି ମିଳିବ ସେ ନେଇ ବନ୍ଦୋବସ୍ତ ହୋଇଛି। ଠାକୁରଙ୍କ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରଦ୍ଧାଳୁମାନେ ପରିଚୟ ପତ୍ର ସହ ମାର୍କେଟ ଛକ ବ୍ୟାରିକେଡ଼ ଦେଇ ପ୍ରବେଶ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ପ୍ରଥମେ ପୁରୀ ନିବାସୀଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ପରେ ୨୬ ତାରିଖରୁ ୩୧ ଯାଏଁ ପୁରୀ ସହରବାସୀ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।

ଗତକାଲିଠୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।

 

Comments are closed.