Odisha Link
Bridging the Missing Links in Odisha

ପାକିସ୍ତାନ ଫେରନ୍ତା ବିର୍‌ଜୁ କୁଲୁ ନିଖୋଜ

ରାଉରକେଲା: ଦୀର୍ଘ ୨୦ ବର୍ଷ ବନ୍ଦୀ ପରେ ଧରି ପାକିସ୍ତାନ ଜେଲ୍‌ରୁ ମୁକୁଳି ଜନ୍ମ ମାଟି ଫେରିଥିବା ବିର୍‌ଜୁ କୁଲୁ ପୁଣି ନିଖୋଜ ହୋଇଯାଇଛନ୍ତି। ବିର୍‌ଜୁ ଗତକାଲି ବିଳମ୍ବିତ ରାତିରୁ ନିଖୋଜ ଅଛନ୍ତି। ଏନେଇ ବିର୍‌ଜୁଙ୍କ ଭଉଣୀ ଆଜି କୁତ୍ରା ଥାନାରେ ଏତଲା ଦେଇଛନ୍ତି। ତେବେ ସେ କିଭଳି ନିଖୋଜ ହେଲେ ତାହା ସ୍ପଷ୍ଟ ହୋଇନି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି।

ସୂଚନାଯୋଗ୍ୟ, କୁତ୍ରା ବ୍ଲକ ଜଙ୍ଗରପଡ଼ାର ମାନସିକ ଭିନ୍ନକ୍ଷମ‌ ବିର୍‌ଜୁ ଛୋଟବେଳେ ହଠାତ୍‌ ଦିନେ ଅଜାଣତରେ ଚାଲିଚାଲି ଭାରତ ସୀମା ପାର କରି ପାକିସ୍ତାନ ସୀମା ଭିତରକୁ ପଶିଯାଇଥିଲେ। ପାକିସ୍ତାନ ସୀମାରେ ପାଦ ଦେବା ପରେ ସେଠାକାର କିଛି ଲୋକ ତାଙ୍କୁ କାବୁ କରି ଶିଖରପୁରକୁ ନେଇଯାଇଥିଲେ। ସେଠାରେ ପୁଲିସ୍ ତାଙ୍କୁ ଗିରଫ କରି ସପ୍ତାହେ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଲାହୋର ଜେଲ୍‌ରେ ବନ୍ଦୀ କରାଯାଇଥିଲା।

ପୁଅର ଫେରିବା ବାଟକୁ ଚାହିଁ ତାଙ୍କ ବାପା-ମା’ ବି ଆରପାରିକୁ ଚାଲିଗଲେ। ତେବେ ୨୦୧୯ ମସିହାରେ ହଠାତ୍‌ ବିର୍‌ଜୁଙ୍କ ଘରେ ପୁଲିସ ପହଞ୍ଚିଥିଲା। ବିର୍‌ଜୁ ପାକିସ୍ତାନ ଜେଲରେ ବନ୍ଦୀ ଥିବା ପୁଲିସ ସୂଚନା ଦେଇଥିଲା। ପାକିସ୍ତାନ ଜେଲ୍‌ରେ ପ୍ରାୟ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ସେ ଅକ୍ଟୋବର ୨୬ ରେ ମୁକୁଳିଥିଲେ। ୱାଘା ସୀମାରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଜିମା ଦିଆଯାଇଥିଲା। ସୂଚନା ପାଇବାପରେ ଜିଲ୍ଲା ପ୍ରଶାସନ ବିର୍‌ଜୁଙ୍କୁ ଜନ୍ମ ମାଟିକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲା। ଏକ ସ୍ବତନ୍ତ୍ର ଟିମ୍‌ ନଭେମ୍ବର ୬ରେ ଅମୃତସର ଅଭିମୁଖେ ବାହାରିଥିଲା। ନଭେମ୍ବର ୧୩ ତାରିଖରେ ପ୍ରଶାସନ ବିର୍‌ଜୁଙ୍କୁ ଜନ୍ମମାଟି କୁତ୍ରାକୁ ଫେରାଇ ଆଣିଥିଲା।

Comments are closed.