Odisha Link
Bridging the Missing Links in Odisha

ମାହାଙ୍ଗା ହତ୍ୟାକାଣ୍ଡ ପଛରେ ମନ୍ତ୍ରୀ ପ୍ରତାପ ଜେନା!

ଭୁବନେଶ୍ବର: ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ଏହା ପଛରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ଅଭିଯୋଗ ହୋଇଛି। ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ (୭୩) ତଥା ତାଙ୍କର ସହଯୋଗୀ ଦାଦା ଦିବ୍ୟସିଂହ ବରାଳ (୮୦)ଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ମନ୍ତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ମୃତ କୁଳମଣିଙ୍କ ପୁଅ ତଥା ସମିତିସଭ୍ଯ ରମାକାନ୍ତ ବରାଳ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ କୁଳମଣି ପୂର୍ବରୁ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏପରିକି ପୂର୍ବରୁ ହୋଇଥିବା ବିକାଶ ଜେନା ହତ୍ୟା ପ୍ରସଙ୍ଗରେ ମଧ୍ୟ ତାଙ୍କ ବାପା ନ୍ୟାୟ ପାଇଁ ଲଢ଼େଇ କରି ମନ୍ତ୍ରୀ ଶ୍ରୀ ଜେନାଙ୍କ ରୋଷର ଶିକାର ହୋଇଥିଲେ ବୋଲି ରମାକାନ୍ତ ଅଭିଯୋଗ କରିଛନ୍ତି।

୨୦୧୮ ଡିସେମ୍ବର ୧୩ ତାରିଖ ରାତିରେ ମାହାଙ୍ଗା ନୃତ୍ତାଙ୍ଗ ପଂଚାୟତର ବିଜେପି ସହ ପ୍ରମୁଖ ଥିବା ଯଁ‌କୋଟି ଗ୍ରାମର ବିକାଶ ଜେନାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ସେହି ଘଟଣାରେ ସଂପୃକ୍ତ ଥିବା ଅପରାଧୀମାନେ ବି କୁଳମଣିଙ୍କ ହତ୍ୟା କରିଥିବା ପୁଅ ରମାକାନ୍ତ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ବାହୁଛାୟା ତଳେ ବିକାଶ ଜେନା ହତ୍ୟାକାଣ୍ଡର ଅଭିଯୁକ୍ତ ରହିଥିବାରୁ ସେମାନଙ୍କୁ ପୁଲିସ ଜାଣିଶୁଣି ଗିରଫ କରୁ ନଥିଲା। ଯେହେତୁ ବିକାଶ ଜେନା ପରିବାରକୁ ନ୍ୟାୟ ପ୍ରଦାନ ପାଇଁ କୁଳମଣି ସଂଗ୍ରାମ ଜାରି ରଖିଥିଲେ ସେଥିପାଇଁ ବିଭିନ୍ନ ସମୟରେ ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀମାନେ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଉଥିଲେ।

ସେ ଏତଲାରେ ଲେଖିଛନ୍ତି, ମନ୍ତ୍ରୀ ତଥା ବିଧାୟକ ମୋତେ ଓ ମୋ ବାପାଙ୍କୁ ଜୀବନରୁ ମାରିଦେଇ ରାସ୍ତାରୁ କଣ୍ଟା ହଟାଇଦେବା ପାଇଁ ଧମକ ଦେଉଥିବା ସଂପର୍କରେ ବାପା ମୋତେ କହିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ରହିଥିବା‌ ମଧ୍ୟ କହିଥିଲେ। ଏ ନେଇ ବିଭିନ୍ନ ସମୟରେ ପୁଲିସ ପ୍ରଶାସନ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ପାଇ ନଥିବା ରମାକାନ୍ତ ଏତଲାରେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଓ ଅନ୍ୟାନ୍ୟ ଦୁର୍ନୀତି ବିରୋଧରେ ସ୍ବର ଉଠାଇବା, ବିଶେଷ କରି ଆବାସ ଯୋଜନାରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଭିକାରୀ ସ୍ବାଇଁ ଚଞ୍ଚକତା କରି ତାଙ୍କ ବଡ଼ଭାଇ ନାଁ ଆବାସ ଯୋଜନାରେ ସାମିଲ କରିବା ଘଟଣା ଧରାପଡିବା ପରେ ତନାଘନା ହୋଇଥିଲା। ଏ ସବୁ ଘଟଣାକୁ ନେଇ ମୋ ବାପାଙ୍କୁ ଟାର୍ଗେଟରେ ରଖାଯାଇଥିବା ରମାକାନ୍ତ ଦର୍ଶାଇଛନ୍ତି।

ଏସବୁ ମଧ୍ୟରେ ଜଣେ ଅତିରିକ୍ତ ଏସ୍‌ପି, ଦୁଇଜଣ ଡିଏସ୍‌ପି ଓ ୫ଜଣ ଇନ୍‌ସପେକ୍ଟରଙ୍କୁ ନେଇ ୫ଜଣିଆ ଟିମ୍‌ ଗଠନ କରାଯାଇ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଯିଏ ବି ହତ୍ୟାକାଣ୍ଡରେ ସାମିଲ ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ପୁଲିସ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଭିକାରୀ ଚରଣ ସ୍ବାଇଁ, ପୁଅ ଉମାକାନ୍ତ, ସରପଂଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳ, ଦିଅର ପ୍ରମୋଦ ବିଶ୍ବାଳ, ଲଳିତମୋହନ ବରାଳ, ବିଜୟ ବରାଳ, କ୍ଷୀତୀଶ ଆଚାର୍ଯ୍ୟ, ମଳୟ ବାରିକ, ସନ୍ତୋଷ ପାଣି, ପଞ୍ଚାନନ ସେଠୀ, ଚୈତନ୍ୟ ସେଠୀ, କୈଳାସ ଖଟୁଆଙ୍କ ନାମରେ ପୁଲିସ ମାମଲା (୫/୨୧) ରୁଜୁ କରିଥିବା ଜଣାଯାଇଛି। ଜଣେ ଅଜଣା ବ୍ୟକ୍ତିଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି।

Comments are closed.